ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପହିଲି ରଜ ଶୁଭେଚ୍ଛା
ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ ଘରେ ପିଠାପଣାର ମହକ। ଆଉ ଏହି ଅବସରରେ ଓଡ଼ିଶାବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୋଦି ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀଙ୍କ ସୁସ୍ଥତା କାମନା ମଧ୍ୟ କରିଛନ୍ତି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ବିଶେଷ ଉତ୍ସବ ‘ରଜ ପର୍ବ’ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଏହି ଅବସର ଆମ ସମାଜରେ ଆନନ୍ଦ ଓ ଭାତୃତ୍ୱକୁ ଆହୁରି ଦୃଢ଼ କରୁ। ରାଜ୍ୟବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି।
କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା। ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା।”#