ଆଜି ପୁରୀ ଯିବେ ରାଷ୍ଟ୍ରପତି : ଶ୍ରୀଜିଉଙ୍କ କରିବେ ଦର୍ଶନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ପୂର୍ବାହ୍ନ ୮ଟା ୪୫ରେ ସେନାବାହିନୀର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁରୀ ତାଳବଣିଆ ଠାରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ‍ କାର ଯୋଗେ କଡା ସୁରକ୍ଷା ମଧ୍ୟରେ ଭିଆଇପି ରୋଡ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ।

ସିଂହଦ୍ୱାର ନିକଟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ପ୍ରବେଶର ପ୍ରାୟ ୩୦ ମିନିଟ୍‍ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଅନ୍ୟ କୌଣସି ଭକ୍ତଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ। ଏହି ସମୟରେ ପାଳିଆ ସେବକ, ମନ୍ଦିର କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ। ରତ୍ନସିଂହାସନ ନିକଟରେ ଠିଆ ହୋଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।

ଏହାପରେ ରାଷ୍ଟ୍ରପତି ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୫ରୁ ୯ଟା ୪୫‍ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବେ। ଏହାପରେ ରାଷ୍ଟ୍ରପତି ହେଲିକେପ୍ଟର ଯୋଗେ ଦିନ ୧୦ଟା ୨୫ରେ କୋଣାର୍କରେ ପହଞ୍ଚିବେ। ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ଏହାପରେ ରାଷ୍ଟ୍ରପତି କୋଣାର୍କ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରିବେ। ସେଠାରୁ ଓଡିଟିସି ଯାତ୍ରୀ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୪ଟା ୧୫ରେ ସେଠାରୁ ରାଷ୍ଟ୍ରପତି ଭୁବନେଶ୍ୱର ଫେରିବେ । ଏହାପରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଏହି ଦୁଇ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *