ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କୋର୍ଟରେ ହାଜର କରିବ ପୋଲିସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ଗିରଫ ହେଲେ ଚଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି । ତାଙ୍କୁ ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ଦେବା ମାମଲାରେ ପୋଲିସ୍‌ ଗିରଫ କରିଛି । ପ୍ରଶାନ୍ତଙ୍କୁ ଏବେ ଭୁବନେଶ୍ୱର କୋର୍ଟରେ ହାଜର କରିବ ପୋଲିସ୍‌ । ତେବେ ତାଙ୍କ ଗିରଫ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ବାଣପୁର ବ୍ଲକ ସମ୍ମୁଖରେ ୧୨ ତାରିଖ ସକାଳେ ଏଭଳି କିଛି ଘଟଣା ଘଟିଥିଲା । ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରୁ ବାଦ୍‌ ପଡିଲେନି ଥାନାଅଧିକାରୀ କି ସାଧାରଣଲୋକ । ପରିସ୍ଥିତି ଏପରି ହେଲା କି ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବାହୁବଳୀ ବିଧାୟକ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ  ନିର୍ଘାତିଆ ଛେଚିଲେ, ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଶାନ୍ତଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇଜି ନରସିଂହ ଭୋଳ ବାଣପୁର ଯାଇ ଘଟଣାର ଅନୁଧ୍ୟାନ କରିଥିଲେ। ଘଟଣାରେ ୨୩ ଜଣ ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ ପାଇଥିଲା । ବିଜେଡି, ବିଜେପି ଏବଂ କଂଗ୍ରେସ ଏହି ଘଟଣାକୁ ଘୋର ନିନ୍ଦା କରିଥିଲେ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି ।  ଜଣେ ଜନ ପ୍ରତିନିଧି ହୋଇ ଏପରି କେମିତି କଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ଖବର ଅନୁଯାୟୀ,  ଅଧ୍ୟକ୍ଷ ନିର୍ବାଚନ ଲାଗି ବାଣପୁର ବ୍ଲକ ସମ୍ମୁଖରେ ଭିଡ ଜମିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଯେଉଁଥିରେ ୨୩ ଜଣ ଲୋକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ମଧ୍ୟରେ କିଛି ପୋଲିସ କର୍ମୀ, ମହିଳା, ସାମ୍ବାଦିକ ଥିବା ଜଣାପଡିଛି । ଏପିରିକି ଜଣେ ପୋଲିସ କର୍ମୀଙ୍କ ଗୋଡ ଓ ହାତ ଭାଙ୍ଗିଯାଇଥିବାର ଖବର ରହିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରୁ ୩ଜଣଙ୍କୁ ଭୁବନେଶ୍ୱର ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published.