ପ୍ରଥମଥର ପାଇଁ ଓଡ଼ିଆ ପ୍ରଫେସର ହେବେ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ପ୍ରଫେସର ପ୍ରସନ କୁମାର ସ୍ବାଇଁ ହେବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶ୍ରୀ ସ୍ୱାଇଁ ଏବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ନିଯୁକ୍ତି ଗ୍ରହଣ କରିବାର ୩ ବର୍ଷ କିମ୍ବା ଅନ୍ୟାଦେଶ ଯାଏ ସେ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ପ୍ରକାଶିତ ବିଜ୍ୟପ୍ତିରେ କୁହାଯାଇଛି।
ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ଦଶଟି ପୁସ୍ତକ ରଚନା କରିଛନ୍ତି ଏବଂ ସଫଳତାର ସହିତ ଦୁଇ ଡିଲିଟ୍, ୧୫ ପିଏଚଡି ଏବଂ ୫୬ ଏମଫିଲ୍ ସ୍କଲାରମାନଙ୍କୁ ଗାଇଡ୍ କରିଛନ୍ତି।
୧୯୯୯ରେ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଡ. ବିମଳେନ୍ଦୁ ମହାନ୍ତି ଯୋଗ ଦେଇଥିଲେ। ତାଙ୍କ ପରେ ୬ ଜଣ ପୂର୍ଣ୍ଣକାଳୀନ କୁଳପତି ଏଠାରେ କାର୍ଯ୍ୟ କରିଛନ୍ତି। ହେଲେ ପୂର୍ବରୁ କେହି ଓଡ଼ିଆ ବିଭାଗର ଶିକ୍ଷାବିତ୍ ଏହି ପଦବୀ ଗ୍ରହଣ କରି ନଥିଲେ। ପ୍ରଫେସର ସ୍ୱାଇଁ ହେଲେ ଅଷ୍ଟମ ପୂର୍ଣ୍ଣକାଳୀନ କୁଳପତି। ତାଙ୍କ ନିଯୁକ୍ତି ପରେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସଂସ୍କୃତି ବିଷୟ ଭିତ୍ତିକ ପାଠ୍ୟକ୍ରମ ଅଧିକ ଛାତ୍ରାଭିମୁଖୀ ହେବ ବୋଲି ଆଶା କରାଯାଉଛି।