କିଭଳି ଥିଲା ଭାରତ ରତ୍ନ ପ୍ରଣବ ମୁଖାର୍ଜିଙ୍କ ରାଜନୈତିକ ଜୀବନ ଯାତ୍ରା; ଜାଣନ୍ତୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କର ସୋମବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି ।
୮୪ ବର୍ଷୀୟ ଶ୍ରୀ ମୁଖାର୍ଜି ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ଅଗଷ୍ଟ ୧୦ ତାରିଖରେ ବ୍ରେନ୍ ସର୍ଜରୀ ପାଇଁ ଶ୍ରୀ ମୁଖାର୍ଜି ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ବ୍ରେନ୍ ସର୍ଜରୀ ପରେ ତାଙ୍କର କରୋନା ଟେଷ୍ଟ ପଜିଟିଭ ବାହାରିଥିଲା । ପରେ ସେ କୋମାରେ ରହିଥିଲେ । ଯାହା ପରେ ତାଙ୍କୁୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଫୁସଫୁସରେ ସଂକ୍ରମଣ ଯୋଗୁଁ ସେପ୍ଟିକ୍ ଶକ୍ ହୋଇଥିଲା।
ସେ ୨୦୧୨ ମସିହାରୁ ୨୦୧୭ ମସିହା ମଧ୍ୟରେ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ତାଙ୍କର ରାଜନୈତିକ ଜୀବନ ୪୦ ବର୍ଷରୁ ଅଧିକ ରହିଥିଲା । ସେ କଂଗ୍ରେସ ଦଳର ସବୁଠୁ ବଡ ରାଜନୈତିକ ଚେହେରା ହୋଇପାରିଥିଲେ ।
ତାଙ୍କର ରାଜନୈତିକ ଯାତ୍ରା ବେଶ ସଫଳପୂର୍ଣ୍ଣ ହୋଇଥିବା ବେଳେ ତାଙ୍କ ୨୦୧୯ ମସିହାରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ତାଙ୍କୁ ୨୦୦୮ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି ଭାରତ ରତ୍ନ ଜଣକ ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ ପ୍ରଣବ ମୁଖାର୍ଜି ।
ପ୍ରଣବ ଦା’ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ କୋଲକାତା ବିଶ୍ୱବିଦ୍ୟାଳୟରେ ଇତିହାସ ଓ ରାଜନୀତି ଶାସ୍ତ୍ରରେ ଗ୍ରାଜୁଏସନ୍ ପରେ ଆଇନ୍ ପାଠ ମଧ୍ୟ ପଢିଥିଲେ ।
ସେ ୧୯୬୯ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏପରିକି ୧୯୭୩ ମସିହାରେ ସେ ପ୍ରଥମ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ।୧୯୮୨ରେ ସେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ହୋଇଥିଲେ ।
ପରେ ୨୦୧୨ ଯାଏଁ ସେ ବାଣିଜ୍ୟିକ ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ୧୯୯୫ରୁ ୧୯୯୬ ଏବଂ ୨୦୦୬ରୁ ୨୦୦୯ ମଧ୍ୟରେ ଦୁଇ ଥର ଲାଗି ବିଦେଶ ମନ୍ତ୍ରୀ ହୋଇଥିଲେ ।
ଏହାବ୍ୟତିତ ସେ ୧୯୯୧ରୁ ୧୯୯୬ ମଧ୍ୟରେ ଯୋଜନା ଆୟୋଗର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ । ପରେ ପ୍ରଣବ ମୁଖାର୍ଜି ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ୨୦୧୨ ମସିହାରୁ ୨୦୧୭ ମସିହା ମଧ୍ୟରେ ଦାୟିତ୍ୱ ନିର୍ବାହ କରିଥିଲେ ।
ସୂଚନାଥାଉ କି, ସ୍ୱର୍ଗତଃ ମୁଖାର୍ଜି ଅନେକ ପୁସ୍ତକ ରଚନା କରିଥିଲେ । ସେଥିମଧ୍ୟରେ ‘The Turbulent Years- 1980-1996’, ‘The Coalition Years’, ‘The Dramatic Decade: The Indira Gandhi Years’, ଏବଂ ‘Thoughts and Reflections’ ଅନ୍ୟତମ ।