କରୋନା ଗାଇଡଲାଇନ୍ : ୩.୩୦ରେ ଘୋଷଣା କରିବେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର, (ଓଡିଶା ଟାଇମ୍):ଆଜି ଆସିବ ଅଗଷ୍ଟ ଗାଇଡ୍ ଲାଇନ୍ । ଅଗଷ୍ଟ ମାସ ପାଇଁ ଆଜି ଗାଇଡ୍ ଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର । ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍ ର ଅବଧି ଆସନ୍ତାକାଲି ୬ଟାରେ ଶେଷ ହେବ । ତେଣୁ ଏହାପୂର୍ବରୁ ଅର୍ଥାତ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଏନେଇ ଅପରାହ୍ନ ୩ଟା ୩୦ରେ ଘୋଷଣା କରିବେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଖବର ଅନୁଯାୟୀ, ରାଜ୍ୟରେ କରୋନାର ୨ଲହରର ସଂକ୍ରମଣକୁ ଦେଖି ସରକାର ମେ ମାସରୁ ଲକ୍‌ଡାଉନ୍‌ ଲାଗୁ କରିଥିଲା । ଏହା ପରେ ଏହାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଇଥିଲା । କିନ୍ତୁ ଧିରେ ଧିରେ ଯେଉଁ ସବୁ ଅଞ୍ଚଳରୁ ସଂକ୍ରମଣ କମିଥିଲା । ସେହିସବୁ ଅଞ୍ଚଳରୁ କଟକଣାକୁ କୋହଳ କରାଯାଇଥିଲା । ଏବେ ରାଜ୍ୟରେ ୧୦ ଜିଲ୍ଲାରେ କଟକଣା ରହିଥିବା ବେଳେ ୨୦ ଜିଲ୍ଲାରେ ଏହି ସବୁ କଟକଣାକୁ କୋହଳ କରାଯାଇଛି। ଅଧିକ ସଂକ୍ରମଣ ଜିଲ୍ଲା ମଧ୍ୟରେ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ସଂକ୍ରମଣ ଆଶାନୁରୁପ ଭାବେ କମିନଥିଲା । ଯାହାଫଳରେ ଏଠାରେ କଟକଣାକୁ ଜୋରଦାର କରାଯାଇଥିଲା । ଖାସ୍‌କରି ଖୋର୍ଦ୍ଧା, କଟକ, ପୁରୀ ଆଦି ଜିଲ୍ଲାରେ ସଂକ୍ରମଣ ହାର ତିନି ଅଙ୍କ ରହୁଛି ।

ତେବେ ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି । ମଲ୍ , ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *