କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ କ’ଣ କହୁଛି, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବହୁ ଚର୍ଚ୍ଚିତ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ଗୁଳି ବାଜିବା ପରେ ଶରୀରରୁ ଅଧିକ ରକ୍ତ ବାହାରିବା ଯୋଗୁଁ ବିକାଶର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ ଏନକାଉଣ୍ଟରରେ ବିକାଶର ଦେହରେ ୩ଟି ଗୁଳି ବାଜିଥିଲା ବେଳେ ତା’ର ଶରୀରରେ ପ୍ରାୟ ୧୦ଟି କ୍ଷତ ସୃଷ୍ଟି ହୋଇଥିଲା । ସେଥିରୁ ଗୋଟିଏ ଗୁଳି ତା’ର ଡାହାଣ କାନ୍ଧରେ ଓ ଆଉ ଗୋଟିଏ ଗୁଳି ବାମ ପଟ ଛାତି ପାଖରେ ବାଜିଥିଲା ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ଡାହାଣ ପଟେ ମୁଣ୍ଡ, କହୁଣୀ ଓ ପୋଟରେ ଆଘାତ ଲାଗିଥିଲା । ଏପରିକି ଏନକାଉଣ୍ଟର ବେଳେ ୩ଟି ଗୁଳି ତା’ ଶରୀରର ଆର ପାର ହୋଇ ଯାଇଥିଲା । ବିକାଶର ଶରୀରରେ ଥିବା ୧୦ ଟି କ୍ଷତ ମଧ୍ୟରୁ ୪ଟି କ୍ଷତ ଡାହାଣ ପଟେ ରହିଥିଲା ।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୦ ତାରିଖରେ ଏନକାଉଣ୍ଟରରେ ବିକାଶର ମୃତ୍ୟୁ ଘଟିଥିଲା । ସେହି ଏନକାଉଣ୍ଟରରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ବିକାଶକୁ ପୋଲିସ ମଧ୍ୟପ୍ରଦେଶର ଉଜ୍ଜେନରୁ ପୋଲିସ ତାକୁ ଗିରଫ କରିଥିଲା । ପରେ ମଧ୍ୟପ୍ରଦେଶ ପୋଲିସ ପଚରାଉଚରା ପରେ ତାକୁ ଏସଟିଏଫ୍ ଟିମକୁ ହସ୍ତାନ୍ତର କରିଥିଲା ।

ପରବର୍ତ୍ତୀ ସମୟରେ ଏସଟିଏଫ୍ ଟିମ୍ ବିକାଶକୁ ଗାଡିରେ କାନପୁର ଆଣୁଥିଲେ । ଏହି ସମୟରେ ଗାଡି ଦୁର୍ଘଟଣା ଗ୍ରସ୍ତ ହେବାରୁ ସେ ଜଣେ ପୋଲିସ ଅଧିକାରୀଙ୍କ ଠାରୁ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରୁଥିଲେ । ପରେ ଗୁଳି ବିନିମୟରେ ବିକାଶ ନିହତ ହୋଇଥିଲା ।

ଗତ ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଏପରିକି ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକଣ୍ଡ ପରେ ସେ ଫେରାର ଥିଲା ।

Leave a Reply

Your email address will not be published.