ଉପରାଷ୍ଟ୍ରପତି ନିର୍ବାଚନରେ ହେବ କି କ୍ରସ୍ ଭୋଟିଂ !

BHUBANESWAE: ଆସନ୍ତା ୯ ତାରିଖ, ମଙ୍ଗଳବାର ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ହେଉଛି ନିର୍ବାଚନ । ବଳିଷ୍ଠ RSS ପୃଷ୍ଠଭୂମି ଥିବା ତଥା ବରିଷ୍ଠ ବିଜେପି ନେତା ସି. ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ବିଜେପି ନେତୃତ୍ବାଧୀନ ଏନଡିଏ । ସେପଟେ ରାଧାକ୍ରିଷ୍ଣନଙ୍କ ବିରୋଧରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି ତମାମ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ । ସି. ପି. ରାଧାକ୍ରିଷ୍ଣନ ତାମିଲନାଡୁର ହୋଇଥିବା ବେଳେ ସୁଦର୍ଶନ ରେଡ୍ଡୀ ତେଲଙ୍ଗାନାର । ଏମିତିରେ ଦେଖିବାକୁ ଗଲେ, ଏଥରର ଉପରାଷ୍ଟ୍ରପତି ନିର୍ବାଚନ, ଦକ୍ଷିଣ ଭାରତରେ ହିଁ କେନ୍ଦ୍ରୀତ ହୋଇଛି । ରାଧାକ୍ରିଷ୍ଣନଙ୍କୁ ନେଇ ତାମିଲ ଅସ୍ମିତାର ଦ୍ବନ୍ଦ୍ବରେ ତାମିଲନାଡୁର ରାଜନୈତିକ ଦଳ ଥିବା ବେଳେ ସୁଦର୍ଶନ ରେଡ୍ଡିଙ୍କୁ ନେଇ ସେହି ସମାନ ଦୋଛକିରେ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ସମସ୍ତ ରାଜନୈତିକ ଦଳ । ସୁଦର୍ଶନ ରେଡ୍ଡୀଙ୍କ ପାଇଁ ତେଲୁଗୁ ଅସ୍ମିତାକୁ ନେଇ ଦ୍ବନ୍ଦ୍ବରେ ଅବିଭାଜିତ ଆନ୍ଧ୍ରପ୍ରଦେଶର ସମସ୍ତ ରାଜନୈତିକ ଦଳ ।…

() ପାର୍ଲାମେଣ୍ଟରେ ଉଭୟ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟର ସାଂସଦ ସଂଖ୍ୟାକୁ ଯଦି ହିସାବକୁ ନେବା, ତେବେ ସି. ପି. ରାଧାକ୍ରିଷ୍ଣନଙ୍କ ପାଇଁ ଉପରାଷ୍ଟ୍ରପତି ନିର୍ବାଚନ ଏକ ପ୍ରକାର Low Hanging Fruit କହିଲେ ଭୁଲ ହେବନି । ସେପଟେ କିନ୍ତୁ ” There is many a difference, between the cup and the lip” ଭରସାରେ ଇଣ୍ଡିଆ ମେଣ୍ଟ । ତେବେ କଣ ଉପରାଷ୍ଟ୍ରପତି ନିର୍ବାଚନରେ ହେବ କି କ୍ରସ୍ ଭୋଟିଂ ! ଏନଡିଏ ଉପରେ ଭାରି ପଡ଼ିବ କି ଇଣ୍ଡିଆ ମେଣ୍ଟ ! ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି, ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ହାତେଇବେ କି ବି. ସୁଦର୍ଶନ ରେଡ୍ଡୀ !

() ରାଷ୍ଟ୍ରପତି ନିର୍ବାଚନ ହେଉ ବା ଉପରାଷ୍ଟ୍ରପତି ନିର୍ବାଚନ । ଏଥିରେ ନାହିଁ ଦଳୀୟ କିମ୍ବା ମେଣ୍ଟ ହ୍ବିପ୍ । ଗୁପ୍ତ ମତଦାନକୁ ନାହିଁ ହ୍ବିପ୍… ଏଭଳି ସ୍ଥିତିରେ କିଏ କାହାକୁ ଭୋଟ ଦେବେ, ତାହା କିଏ ବା କହିବ ! ଏହି ଦୁଇ ନିର୍ବାଚନରେ ସ୍ଥାନୀୟ ଅସ୍ମିତାକୁ ଗୁରୁତ୍ବ ଦେବା କିମ୍ବା ଅନ୍ତରାତ୍ମା ଆଧାରରେ ଭୋଟ ଦେବାର ନଜିର କିଛି କମ ନାହିଁ । ତେଣୁ ଏଥରର ଉପରାଷ୍ଟ୍ରପତି ନିର୍ବାଚନରେ ଯେ, କ୍ରସ୍ ଭୋଟିଂ ନହେବ, ସେ ଗ୍ୟାରେଣ୍ଟି କିଏ ଦେବ !

() ପ୍ରଥମେ ଆସନ୍ତୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ଆଭିମୁଖ୍ୟ ଉପରେ ଅନୁଶୀଳନ କରିବା । ଅତୀତରେ ଚନ୍ଦ୍ରବାବୁ ନାଇଡୁଙ୍କୁ ୨ ଥର ପ୍ରଧାନମନ୍ତ୍ରୀ ପଦ ଅଫର୍ ମିଳିଛି । ୧୯୯୫-୯୬ରେ ତାଙ୍କୁ ପ୍ରଥମ ଅଫର୍ ମିଳିଥିଲା । କିନ୍ତୁ ନାଇଡୁ ତାହା ଗ୍ରହଣ କରି ନଥିଲେ । ପ୍ରତିବଦଳରେ ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା ଏବଂ ଏନସିପି ବସ୍ ଶରଦ ପାୱାରଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଦେବେଗୌଡ଼ା ହୋଇଥିଲେ ପ୍ରଧାନମନ୍ତ୍ରୀ । ୨୦୨୪ରେ ଯେତେବେଳେ, ବିଜେପିର ସାଂସଦ ସଂଖ୍ୟା ୨୪୦ରେ ସୀମିତ ରହିଗଲା, ସେତେବେଳେ ମଧ୍ୟ ଇଣ୍ଡିଆ ମେଣ୍ଟ ତରଫରୁ, ବିଶେଷକରି କଂଗ୍ରେସ ତରଫରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଭିତିରିଆ ପ୍ରଧାନମନ୍ତ୍ରୀ ପଦର ଅଫର୍ ମିଳିଥିଲା । କିନ୍ତୁ ରାଜନୈତିକ ଗୋଟି ଚାଳନାରେ ମାହିର୍ ନାଇଡୁ ତାହା ଗ୍ରହଣ କଲେନି । ବାଜପେୟୀଙ୍କ ଅମଳରେ ଏନଡିଏର ସଂଯୋଜକ ଥିବା ଭଳି, ଏଥର ମଧ୍ୟ ସେହି ସମାନ ପଦ ଦାବି କରିଥିଲେ ନାଇଡୁ । କିନ୍ତୁ ବିଜେପି ତାଙ୍କୁ ତାହା ମଞ୍ଜୁର କରିନି ।…

() ନାଇଡୁଙ୍କୁ ଏବେ ୭୫ ବର୍ଷ । ଏବେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ସତ, କିନ୍ତୁ ସରକାରର ଏବଂ ଦଳର ସର୍ବେସର୍ବା ତାଙ୍କ ପୁଅ ତଥା ମନ୍ତ୍ରୀ ନର ଲୋକେଶ କହିଲେ ଭୁଲ ହେବନି । ୨୦୨୪ ନିର୍ବାଚନରେ ନର ଲୋକେଶଙ୍କ ପସନ୍ଦର ପାଖାପାଖି ଶହେ ପ୍ରାର୍ଥୀଙ୍କୁ ହିଁ ଟିଡିପି ଟିକେଟ୍ ଦେଇଥିଲା । କହିବାକୁ ଗଲେ ନର ଲୋକେଶଙ୍କ ହାତରେ ଏବେ ଆନ୍ଧ୍ରପ୍ରଦେଶ ସରକାର ଏବଂ ଟିଡିପି । ଖାସ୍ ସେଇଥି ପାଇଁ ବୋଧେ ଉପରାଷ୍ଟ୍ରପତି ଥିବା ବେଳେ ନିଜ ଅଫିସକୁ ଡାକି ନର ଲୋକେଶଙ୍କ ସହ ପ୍ରମୁଖ ଜାତୀୟ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ଜଗଦୀପ ଧନଖଡ଼ । ଯାହା ପରେ ଧନଖଡ଼ଙ୍କ ପାଇଁ ମହଙ୍ଗା ପଡ଼ିଛି । ଟିଡିପିରେ ନର ଲୋକେଶଙ୍କ ଗୁରୁତ୍ବକୁ କେହି ଜାଣିଥାନ୍ତୁ ବା ନଜାଣିଥାନ୍ତୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିନ୍ତୁ ଭଲ ଭାବେ ଜାଣିଛନ୍ତି । ଯେଉଁଥି ପାଇଁ ଜଗଦୀପ ଧନଖଡ଼ଙ୍କ ପରେ, ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ମଧ୍ୟ ନର ଲୋକେଶଙ୍କୁ ନିଜ ବାସଭବନକୁ ଡକାଇ କରିଛନ୍ତି ଆଲୋଚନା । କଣ ଏସବୁ ସୂଚାଉଛି ? କଣ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଟିଡିପି ଉପରେ, ବିଜେପିର ଭରସା ପାଉନି କି ! ଆନ୍ଧ୍ରପ୍ରଦେଶ ସରକାର ଓ ରାଜନୀତିରେ ପୁଅ ନର ଲୋକେଶଙ୍କୁ ରାହା ଧରାଇବା ଯୋଜନାରେ ଚନ୍ଦ୍ରବାବୁ ନାଇଡୁ । ପୁଅକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଦେଇ ଏବେ ସେ କେନ୍ଦ୍ର ରାଜନୀତିକୁ ଆସିଲେ କିଛି ଅସୁବିଧା ନାହିଁ । ତେଣୁ ଏଭଳି ସ୍ଥିତିରେ ସେପ୍‌ଟେମ୍ବର ୯ ଉପରାଷ୍ଟ୍ରପତି ନିର୍ବାଚନରେ ଟିଡିପି ଯେ କ୍ରସ୍ ଭୋଟିଂ ନକରିବ ତାହା କିଏ କହିବ ! ସେପଟେ ଆନ୍ଧ୍ରପ୍ରଦେଶରେ କାହାର ବିନା ସହଯୋଗରେ ସରକାରର ନେତୃତ୍ବ ନେବାରେ ଟିଡିପି ପାଇଁ କିଛି ଅସୁବିଧା ନାହିଁ । …

() ଏବେ ଆସନ୍ତୁ ଜାଣିବା, ଚନ୍ଦ୍ରବାବୁ ନାଇଡୁ ଏବଂ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ଥିବା Chemistry ବାବଦରେ । ଶ୍ବଶୁର ଏନ୍. ଟି. ରାମାରାଓଙ୍କଠାରୁ ଟିଡିପିକୁ ଛଡ଼ାଇ ଆଣିବା ବେଳେ ଅନେକ ସମସ୍ୟା ସାମ୍ନା କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏନ. ଟି. ରାମାରାଓଙ୍କ ଅଭିଯୋଗ ଆଧାରରେ ଟିଡିପିର ଦଳୀୟ ଚିହ୍ନ ଏବଂ ବ୍ୟାଙ୍କ ଆକାଉଣ୍ଟ, ନାଇଡୁଙ୍କୁ Access ହେଉ ନଥିଲା । କିନ୍ତୁ ସେତେବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଓକିଲାତି କରୁଥିବା ବି. ସୁଦର୍ଶନ ରେଡ୍ଡୀ ହିଁ, ନାଇଡୁଙ୍କୁ ହୋଇଥିଲେ ସାହା । ଆଇନଗତ ଲଢ଼େଇରେ ସୁଦର୍ଶନ ରେଡ୍ଡୀ ହିଁ, ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୀ କରାଇଛନ୍ତି । ପୁଣି ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କର ନିବିଡ଼ତା ୨-୩ ଦଶନ୍ଧିରୁ କମ ନାହିଁ । ତେଣୁ ଏଭଳି ସ୍ଥିତିରେ ସେପ୍‌ଟେମ୍ବର ୯ ଉପରାଷ୍ଟ୍ରପତି ନିର୍ବାଚନକୁ ଋଣ ଶୁଝିବାର ଅବସର ଭାବେ ଗ୍ରହଣ କରିନେବେନି ତ ଚନ୍ଦ୍ରବାବୁ ନାଇଡୁ ! ସେପଟେ ନାଇଡୁଙ୍କ ରାଜନୈତିକ ପଟ୍ଟଶିଷ୍ୟ କୁହାଯାଉଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଇଣ୍ଡିଆ ମେଣ୍ଟ ବିଶେଷକରି କଂଗ୍ରେସ ତରଫରୁ ଅବିଭାଜିତ ଆନ୍ଧ୍ରପ୍ରଦେଶରେ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରମୁଖ ସଂଯୋଜନା ଦାୟିତ୍ବରେ ଅଛନ୍ତି । ଏମିତି ବି ଶୁଣିବାକୁ ମିଳୁଛି, ଏବେ ମଧ୍ୟ ନାଇଡୁଙ୍କ ପାଇଁ PM Optionର Feeler ପଠାଇ ସାରିଛି ଇଣ୍ଡିଆ ମେଣ୍ଟ । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଝିଅ କେ. କବିତା ଜେଲ୍ ଯିବା ଘଟଣାକୁ ଏବେ ବି ଭୁଲିପାରି ନାହାନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା BRS ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ । ସେହିଭଳି ରାଜନୈତିକ ଅସ୍ତିତ୍ବକୁ ନଜରରେ ରଖି, ତେଲୁଗୁ ଅସ୍ମିତାକୁ କଣ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡୀ ଅଣଦେଖା କରିପାରିବେ !…

() ପେଟ୍ରୋଲରେ ଇଥାନଲ୍ ମାମଲାରେ ନୀତିନ ଗଡ଼କରି ଏବେ ଅଡୁଆରେ । ତୈଳମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପେଟ୍ରୋଲ ବ୍ୟାରେଲରେ ଗଡ଼କରି ଯେତେବେଳେ ଇଥାନଲ୍ ମିଶାଇ ଦେଲେ, ସେତେବେଳେ କେଉଁଠି ଥିଲେ ପୁରୀ ସାହେବ ? କେଉଁଠି ଥିଲେ କେନ୍ଦ୍ର ସରକାର ? କିନ୍ତୁ ଏବେ ଯେତେବେଳେ ମାମଲା ସାମ୍ନାକୁ ଆସିଛି, ସେତେବେଳେ ଇଥାନଲ୍ ପ୍ରସ୍ତୁତକାରୀ କଂପାନି CIANର ଟପ୍ ପୋଜିସନରେ ଥିବା ନିଜର ଦୁଇ ପୁଅଙ୍କ ପାଇଁ ଟାର୍ଗେଟରେ ଗଡ଼କରି । ଗଡ଼କରି ହିଁ ଏକମାତ୍ର ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ, ଯିଏ କି ଅଧିକାଂଶ ସମୟରେ ସରକାରକୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଇ ନାହାନ୍ତି । ନିକଟରେ ସେ ଦେଇଥିବା ମନ୍ତବ୍ୟ “ଲୋକଙ୍କୁ ଯିଏ ମିଛ କହି ଭୁଲାଇ ପାରିଲା, ସେ ହିଁ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ନେତା”… ଏମିତି କହି କାହାକୁ ଇଙ୍ଗିତ କରିଛନ୍ତି ଗଡ଼କରି ସାହେବ !

() ୨୦୨୪ ନିର୍ବାଚନ ପରେ ନିଜସ୍ବ ବଳରେ ସରକାର ଗଢ଼ିବା ବିଜେପି ପାଇଁ ମୁସ୍କିଲ ହେଲା । ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ସହଯୋଗ ନିହାତି ଦରକାର ପଡ଼ିଲା । ଆଉ ସେହି ସମୟରେ ପ୍ରଥମେ ବିଜେପି ସଂସଦୀୟ ଦଳ ନେତା ଭାବେ ମନୋନୀତ ନହୋଇ ସିଧା ଏନଡିଏ ସଂସଦୀୟ ଦଳ ନେତା ଭାବେ ମନୋନୀତ ହେଲେ ନରେନ୍ଦ୍ର ମୋଦି । ମୋଦି ଯେତେବେଳେ ଏନଡିଏ ସାଂସଦଙ୍କ ଗହଣକୁ ଯାଇଥିଲେ, ସେତେବେଳେ ସମସ୍ତେ ଉଠି, ତାଳିମାରି ତାଙ୍କୁ ସ୍ବାଗତ କରିଥିଲେ । କିନ୍ତୁ ଗଡ଼କରି ନା ଚେୟାରରୁ ଉଠିଥିଲେ ନା ତାଳି ମାରିଥିଲେ । ସେହି ବୈଠକରେ ମୋଦି, ଏନଡିଏର ସଂସଦୀୟ ଦଳ ନେତା ଚୟନ ହୋଇଥିଲେ ମଧ୍ୟ ଗଡ଼କରିଙ୍କ ପାଖରୁ ସେଭଳି କିଛି ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା । ସମସ୍ତଙ୍କୁ ଜଣା, ନୀତୀନ ଗଡ଼କରିଙ୍କ ପଛରେ ରହିଛି RSSର ଦୃଢ଼ ସମର୍ଥନ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ RSS ଓ ଗୁଜରାଟ Lobby ମଧ୍ୟରେ ପାଖାପାଖି ଅଢ଼େଇ ବର୍ଷ ହେବ ଟଣା-ଓଟରା ଚାଲିଛି । ତେଣୁ ଏଭଳି ସ୍ଥିତିରେ ଗଡ଼କରିଙ୍କ ପଛରେ ବିଜେପିର କେତେ ସାଂସଦ ଅଛନ୍ତି ? ଉପରାଷ୍ଟ୍ରପତି ନିର୍ବାଚନରେ ସେମାନେ କିଛି ଏପଟ-ସେପଟ କରିବେନି ତ !… ଏଇ ଯେମିତି ପାର୍ଲାମେଣ୍ଟ କ୍ଲବ୍ ସଭାପତି ନିର୍ବାଚନରେ ମୋଦି-ଶାହଙ୍କ ପସନ୍ଦର ପ୍ରାର୍ଥୀ ସଞ୍ଜୀବ ବାଲ୍ୟାନଙ୍କୁ ହରାଇଦେଲେ ଅନ୍ୟତମ ବିଜେପି ପ୍ରାର୍ଥୀ ରାଜୀବ ପ୍ରତାପ ରୁଡ୍ଡୀ ।…

() ଏମିତି ବି ଶୁଣିବାକୁ ମିଳୁଛି, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କାଳେ ଭିତିରିଆ ଯୋଗାଯୋଗରେ ଅଛନ୍ତି ନୀତିନ ଗଡ଼କରି । ଏକନାଥ ସିନ୍ଦେଙ୍କ ପ୍ରତି କଣ ହୋଇଛି, ତାହା ସମସ୍ତେ ଦେଖିଛନ୍ତି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନକୁ ସିନ୍ଦେ ଅବସର ଭାବେ ଗ୍ରହଣ କରି ବଦଲା ନେବେନି ତ ! କ୍ରସ୍ ଭୋଟିଂ କରିବେନି ତ ସିନ୍ଦେଙ୍କ ଶିବସେନାର ସାଂସଦମାନେ !

() ବାପାଙ୍କ ମୃତ୍ୟୁ ପରେ ୨୦୨୦ ବିହାର ବିଧାନସଭା ନିର୍ବାଚନ ଏକାକୀ ନିର୍ବାଚନ ଲଢ଼ିଲେ ଏଲଜେପି ମୁଖ୍ୟ ଚିରାଗ ପାଶୱାନ । କିନ୍ତୁ କିଛିଦିନ ଯାଇନି ଏଲଜେପି ହୋଇଗଲା ଦି’ ଫାଳ । ଏହି ବିଭାଜନ ପଛରେ କିଏ ତାହା ସଠିକ ଭାବେ ଧରି ନେଇଥିଲେ ଚିରାଗ ପାଶୱାନ । କହିବାକୁ ଗଲେ, ତାଙ୍କ ରାଜନୈତିକ କ୍ୟାରିଅର୍ ଏକପ୍ରକାର Finish ହୋଇଯିବାକୁ ବସିଥିଲା । କିନ୍ତୁ ୨୦୨୪ ନିର୍ବାଚନରେ ଚିରାଗ ତାଙ୍କ ଦମ୍ ଦେଖାଇ ଦେଲେ । ଯେଉଁଥି ପାଇଁ ଦାଦା ପଶୁପତି ପାରସଙ୍କୁ ଆଡ଼ କରିଦେଇ ଚିରାଗଙ୍କୁ କୋଳରେ ବସାଇବାକୁ ବାଧ୍ୟ ହୋଇଛି ବିଜେପି । ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ Hard Bargaining ଚଳାଇଛନ୍ତି ଚିରାଗ । ଯଦି ପସନ୍ଦ ମୁତାବକ ଆସନ ନପାଇବାର ଆଭାସ ସେ ପାଆନ୍ତି ଏବଂ ଏଲଜେପି ବିଭାଜନ କଥାକୁ ଦେହକୁ ନେଇ, ଅନ୍ତରାତ୍ମା ଆଧାରରେ ଉପରାଷ୍ଟ୍ରପତି ନିର୍ବାଚନରେ ନିଷ୍ପତ୍ତି ନିଅନ୍ତି, ତେବେ କଣ ହେବ ଏନଡିଏର ସ୍ଥିତି ! ସେପଟେ ଜଗଦୀପ ଧନଖଡ଼ଙ୍କୁ ଯେଉଁଭଳି ଭାବେ ଉପରାଷ୍ଟ୍ରପତି ପଦରୁ Humiliate କରି, ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି, ତାକୁ ନେଇ ଜାଟ୍ ସଂପ୍ରଦାୟ ଖପ୍ପା । ଏଭଳି ସ୍ଥିତିରେ ଜାଟ୍ ସଂପ୍ରଦାୟର ସମର୍ଥନ ଆଧାରରେ ରାତନୈତିକ ପତିଆରା ହାସଲ କରିଥିବା ଜୟନ୍ତ ଚୌଧୁରୀଙ୍କ RLD, ଉପରାଷ୍ଟ୍ରପତି ନିର୍ବାଚନରେ ସେଭଳି କିଛି ଭିନ୍ନ ନିଷ୍ପତ୍ତି ନେବନି ତ ! ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାମିଲନାଡୁରେ ମଧ୍ୟ ଏନଡିଏର ଟେନସନ୍ ବଢ଼ିଛି । AIADMK ପରେ ମେଣ୍ଟରୁ ଓହରିଯିବାକୁ କହିଲାଣି ଟି. ଟି. ଭି. ଦିନାକରନଙ୍କ AMMK । ଅନ୍‌ବୁମଣି ରାମଦୋସଙ୍କ PMK ଏବଂ ବିଜୟକାନ୍ତଙ୍କ DMDK ମଧ୍ୟ ଏନଡିଏରେ ଅସନ୍ତୋଷରେ ଅଛନ୍ତି । ଏଭଳି ସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନରେ ଦେଖିବାକୁ ମିଳିବନି ତ କ୍ରସ୍ ଭୋଟିଂ !!!

Leave a Reply

Your email address will not be published. Required fields are marked *