ବଜେଟର ବିକଳ ଚିତ୍ର…

BHUBANESWAR: ଏଇଠି ମନେପଡ଼େ, କବି ଯଦୁମଣିଙ୍କ ସେହି ପଦଟି… “ଅନ୍ଧ ଦେଶକୁ ଗଲି ଦର୍ପଣ ବିକି… । ଏବେ କିନ୍ତୁ ଆମେ ସମସ୍ତେ ଅନ୍ଧ, ଆମ ପାଇଁ ବିକ୍ରି ହେଉଛି ଦର୍ପଣ । କିଏ ଏଠି ଅନ୍ଧ… କିଏ ଏଠି ବିକୁଛି ଦର୍ପଣ… ଦିନରେ କେହି ଆମକୁ ଲଣ୍ଠନ ଦେଖାଇ ଦେଖାଇ ଜଳକା କରିଦେଇ ନାହାଁନ୍ତି ତ ! Hypothetical ବିକଶିତ ଭାରତର ସ୍ବପ୍ନରେ ଆମେ ବିନାଶକୁ ବରଣି ନେଉନେ ତ ! ବିକଶିତ ଭାରତର କାଳ୍ପନିକ ବଡ଼ଦାଣ୍ଡରେ ବର୍ତ୍ତମାନର ବିକାଶ, ବାଟବଣା ହୋଇଯାଉନି ତ !…

ବଜେଟକୁ ସରକାରୀ ଦଳର ନେତା, ମନ୍ତ୍ରୀ, କର୍ମୀ ଓ ସେମାନଙ୍କ ସମର୍ଥକ କହୁଛନ୍ତି, ଏହା କାଳେ ୨୦୪୭ ବିକଶିତ ଭାରତର ଆଧାର ଶିଳା । ହେଲେ ଏ ବିକାଶ କେଉଁଭଳି ବିକାଶ ଏବଂ ୨୦୪୭ ବେଳକୁ ଏହା କିଭଳି ବିକଶିତ ହେବାକୁ ଯାଉଛି… କେବଳ ସରକାର ଓ ତାଙ୍କ ସମର୍ଥକ କାହିଁକି, ଦେଶର ପ୍ରାୟ ସବୁ ପ୍ରମୁଖ ଗଣମାଧ୍ୟମ ମଧ୍ୟ ବଜେଟକୁ ନେଇ ସରକାରଙ୍କ ସହ ସମତାଳରେ ବାଜା ବଜାଉଛନ୍ତି… ସବୁଠି Hypothetical Analysis, ନାହିଁ ତିଳେ ମାତ୍ର Reality କିମ୍ବା Pro n Con Analysis ।…

ଅର୍ଥମନ୍ତ୍ରୀ ଏଥର ତାଙ୍କ ବଜେଟ୍ ଭାଷଣରେ Make in India, Skill India, PM Internship, PIL Smart City ଏବଂ ଆତ୍ମନିର୍ଭର ଭାରତ, ସବୁକୁ ଉଚ୍ଚାରଣ କରିବା କେହି ଶୁଣିଛନ୍ତି କି ! ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶବ୍ଦ କାହା କାନରେ ବାଜିଛି କି ! କୌଣସି ରାଜ୍ୟ ପାଇଁ ସରକାର ବଜେଟରେ ତାଙ୍କ ଅଣ୍ଟି ଝାଡ଼ି ଦେଇଛନ୍ତି କି ! ନିଯୁକ୍ତିର ଜାଗା କେବେଠାରୁ ‘ନିଯୁକ୍ତି ସୁଯୋଗ’ ନେଇ ସାରିଛି । ନିଯୁକ୍ତି ଦେଇ ବେକାରୀ କମାଇବାକୁ ଏଥରର ବଜେଟରେ କଣ ବ୍ୟବସ୍ଥା ରହିଛି ! ଟ୍ରମ୍ପଙ୍କ Tariff Terror ଯୋଗୁଁ ଭାରତ ଅତିମାତ୍ରାରେ ପ୍ରଭାବିତ ହେଉଥିବା ବେଳେ, ତାକୁ କାଉଣ୍ଟର କରିବାକୁ କିଛି ରଣନୀତି ହୋଇଛି କି ! ଚୀନରୁ ଆମଦାନୀ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ବିଲୁପ୍ତ ପ୍ରାୟ ଭାରତୀୟ MSME Sectorର ପୁନରୁଦ୍ଧାର କେମିତି ହେବ ! ଯେତେବେଳେ କି MSME Sector ପାଇଁ ସରକାରଙ୍କ ପୂର୍ବରୁ ଯୋଜନା ଓ ଘୋଷଣା ସଫଳ ହୋଇନି ! ଚୀନ ଓ ଭାରତ ମଧ୍ୟରେ Trade Deficit ଏବେ ୧୪୦ ବିଲିଅନ ଡଲାରରେ ପହଞ୍ଚିଲାଣି । ଏସିଆ ମହାଦେଶରେ ସବୁଠାରୁ ଦୁର୍ବଳ ସ୍ତରରେ ଭାରତୀୟ ମୁଦ୍ରାର ମୂଲ୍ୟ । ପ୍ରତି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୯୨ ଟଙ୍କା ଡେଇଁ ସାରିଲାଣି । ଯେତେବେଳେ କି ୨୦୧୪ ବେଳକୁ ତାହା ୬୦ରୁ ୬୨ ଟଙ୍କା ମଧ୍ୟରେ ଥିଲା । ଭାରତର ଋଣଭାର ବି ୨ ଲକ୍ଷ କୋଟି ଟପି ସାରିଲାଣି । ଟଙ୍କାର ଅବମୂଲ୍ୟାୟନ ରୋକିବାକୁ ଏଥରର ବଜେଟ କେତେଦୂର ସକ୍ଷମ ହେବ ! ଏବେ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୪ ପ୍ରତିଶତ ଥିବା ବେଳେ ତାକୁ ୪.୩ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ ଏହା ସମ୍ଭବ ହୋଇପାରିବ ତ !…

ବଜେଟରେ ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ଏବଂ ସର୍ବୋପରି ସାଧାରଣ ଲୋକଙ୍କ ପାଇଁ କଣ ଅଛି ! କାରଣ ଏଥରର ବଜେଟରେ ଅନେକ କ୍ଷେତ୍ରର ବ୍ୟୟବରାଦ, ଗତବର୍ଷ ବଜେଟର ବ୍ୟୟବରାଦଠାରୁ କମାଇ ଦିଆଯାଇଛି । ଗ୍ରାମୀଣ ବିକାଶ କ୍ଷେତ୍ରର ବ୍ୟୟବରାଦ ଗତବର୍ଷଠାରୁ ୫୩ ହଜାର କୋଟି ଟଙ୍କା କମ । ସହରୀ ବିକାଶ କ୍ଷେତ୍ରରୁ ୪୦ ହଜାର କୋଟି କଟା ଯାଇଛି । ସାମାଜିକ କଲ୍ୟାଣ କ୍ଷେତ୍ରରୁ ୧୦ ହଜାର କୋଟି, କୃଷି କ୍ଷେତ୍ରରୁ ୭ ହଜାର କୋଟି, ଶିକ୍ଷା କ୍ଷେତ୍ରରୁ ୬ ହଜାର ୭ ଶହ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରରୁ ୩ ହଜାର ୭ ଶହ କୋଟି, ଜଳ ଜୀବନ ମିଶନରୁ ୫୦ ହଜାର କୋଟି ( ଏଥିରେ ଗତଥର ୬୭ ହଜାର କୋଟି ଥିଲା, ଏଥର ୧୭ ହଜାର କୋଟି । ଏହା ୨୦୪୭ ବିକଶିତ ଭାରତର କେଉଁ ପ୍ରକାରର ଆଧାର ଶିଳା ! ବିଜେପି ଓ ତାର ସମର୍ଥକ କିନ୍ତୁ ବଜେଟକୁ ନେଇ ବାଜା ବଜାଇଲା ଭଳି ବଜାଉ ନାହାନ୍ତି । ବିକାଶ ପାଇଁ ଟଙ୍କା ଦରକାର । କିନ୍ତୁ ଏସବୁ କ୍ଷେତ୍ରର ବ୍ୟବରାଦ କମ କରି ଦିଆଯାଇ ବିକାଶକୁ ଛୋଟା କରି ଦିଆଯାଉନି ତ ! ଯଦି ଏବେର ବିକାଶ, ଏବେଠୁ ଛୋଟା ହୋଇଯାଏ, ତେବେ ୨୦୪୭ ବେଳକୁ ସେ କେଉଁ ଢଙ୍ଗରେ ବିକଶିତ ହେବ !…

କିଛି ବିଜେପି ନେତାଏ ଟିଭି ଚ୍ୟାନେଲରେ ବସି ମୁଦ୍ରାସ୍ଫୀତି ଓ ତେଲଦରର ତୁଳନାତ୍ମକ ଚିତ୍ର ବୁଝାଇଛନ୍ତି । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନର ମୁଦ୍ରାସ୍ଫୀତି ଦଶମିକ ୬ ପ୍ରତିଶତକୁ ହାଇଲାଇଟ୍ କରିଛନ୍ତି । ଏଠି କହିଲେ ଦେଖି, ମୁଦ୍ରାସ୍ଫୀତି ଯଦି ଏବେ ମାତ୍ର ଦଶମିକ ୬ ପ୍ରତିଶତ ରହିଛି, ଦେଶର କୌଣସି ପରିବାର ପାଇଁ ବଜାରର କେଉଁ ସାମଗ୍ରୀଟା ଶସ୍ତା ହୋଇଛି ! ସେହିଭଳି ମନମୋହନ ସିଂହଙ୍କ ଅମଳରେ ତେଲ ଦର ଅଢ଼େଇ ଗୁଣାରୁ ଅଧିକ ବଢ଼ିଥିଲା, ଯାହା ଏବେ ସେହି ଦୃଷ୍ଟିରେ ଦେଖିଲେ କାଳେ ସେହି ଅନୁପାତରେ ବଢ଼ିନି ବୋଲି ବିଜେପି ନେତାଏ କହୁଛନ୍ତି । ଏଠି ଜାଣି ରଖିବା ଉଚିତ, ମନମୋହନ ସିଂହଙ୍କ ଅମଳରେ ପେଟ୍ରୋଲ ଦର ଯେତେବେଳେ ଲିଟର ପିଛା ୭୨ ଟଙ୍କା ହୋଇଥିଲା, ସେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୧୪୪ ଡଲାର ଉପରେ ଥିଲା । କିନ୍ତୁ ବର୍ତ୍ତମାନ ସରକାର ଅମଳରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୬୦ ହୋଇଥିଲା ବେଳେ ମଧ୍ୟ ପେଟ୍ରୋଲ ଲିଟର ଶହେ ଟଙ୍କାରୁ କମିନି । ରୁଷିଆଠାରୁ ଶସ୍ତାରେ ତେଲ ଅଣା ଯାଇଥିଲେ ମଧ୍ୟ, ଭାରତୀୟଙ୍କ ପାଇଁ ଶସ୍ତା ହୋଇନି ପେଟ୍ରୋଲ କିମ୍ବା ଡିଜେଲ ଦର ।…

ଯେଉଁଠି ୟୁରୋପୀୟ ସଂଘ ସହ ଚୁକ୍ତିନାମାକୁ Mother of All Deals କୁହାଯାଉଛି, ସେଠି ବଜେଟ ଉପରେ Black n White Analysis ବା ଗୋଦି ମିଡିଆଙ୍କଠାରୁ କିଭଳି ଆଶା କରିବା ! ଭାରତ ସହ ହୋଇଥିବା ଚୁକ୍ତିନାମା, ୟୁରୋପୀୟ ସଂଘର ୨୭ଟି ଯାକ ସଦସ୍ୟ ରାଷ୍ଟ୍ରର ପାର୍ଲାମେଣ୍ଟରେ ପାରିତ ହେବା ପରେ ହିଁ Mother of All Deals ଜନ୍ମ ନେବ । ଯାହା ଅତିକମରେ ବର୍ଷେ ଲାଗିବ । କିନ୍ତୁ ଆମ ଦେଶର ପ୍ରମୁଖ ଗଣମାଧ୍ୟମ ଏହାକୁ କେମିତି ହାଇଲାଇଟ କଲେ ଆମେ କଣ ଦେଖିନେ… “ୟୁରୋପ ସଂଘ ସହ Mother of All Deals ଆମେରିକାକୁ Counter… ୟୁରୋପୀୟ ଦେଶରେ ଭାରତୀୟଙ୍କୁ ମିଳିବ ବ୍ୟାପକ ନିଯୁକ୍ତି” (ମିଳିବ କଣ, ଆଲୋଚନା ମାଧ୍ୟମରେ ଭାରତୀୟ ଯୁବବର୍ଗ ହାତରେ ନିଯୁକ୍ତି ପତ୍ର ଧରାଇ ଦେଇଛନ୍ତି ବିଭିନ୍ନ ଗୋଦି ମିଡିଆ)… ପୁଣି ଭାରତର ଆମଦାନୀ-ରପ୍ତାନୀ ବଢ଼ାଇ ରାଜକୋଷ ଭରିଦେଲେ… ଏମିତି କେତେ କଣ… ତେଣୁ ଖାସ ସେଇଥି ପାଇଁ ବୋଧେ, ଭାରତର ବର୍ତ୍ତମାନର ଗୋଦି ମିଡିଆ ଲୋକଙ୍କୁ ସତ ବଦଳରେ କାଳ୍ପନିକ ସତର ସ୍ବପ୍ନ ଦେଖାଉଛି… ଲୋକଙ୍କୁ ଅନ୍ଧ ବନାଇ ଆଇନା ବିକୁଛି… ଦିନରେ ଲଣ୍ଠନ ଦେଖାଉଛି !…

Leave a Reply

Your email address will not be published. Required fields are marked *