ପିପିଲି ଉପ ନିର୍ବାଚନ: କଡ଼ା ସୁରକ୍ଷା ଓ କଟକଣା ଭିତରେ ଭୋଟ୍ ଦେଉଛି ପିପିଲି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କଡ଼ା ସୁରକ୍ଷା ଓ କରୋନା କଟକଣା ଭିତରେ ସକାଳ ୭ଟାରୁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ବୁଥରେ ଶୃଙ୍ଖଳିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି। ଭୋଟ୍ଦାତାମାନେ ସେମାନଙ୍କ ପରିଚୟପତ୍ର ଦେଇ ମତଦାନ କେନ୍ଦ୍ରକୁ ପ୍ରବେଶ କରୁଛନ୍ତି। ଯେଉଁମାନେ ବୟସ୍କ ଓ କରୋନା ସନ୍ଦିଗ୍ଧ ସେମାନଙ୍କଠାରୁ ଭତ ସଂଗ୍ରହ କରାଯିବା ଲାଗି ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ପୋଷ୍ଟାଲ୍ ବ୍ୟାଲଟ୍ ମାଧ୍ୟମରେ ସେମାନେ ଭୋଟ୍ ଦେବେ।
ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ହେତୁ ଏହି ସ୍ଥାନଟି ପ୍ରତିନିଧି ଶୂନ୍ୟ ହୋଇଥିଲା। ହେଲେ କରୋନା ସଂକ୍ରମଣ ହେତୁ ଏହାର ଉପ ନୁର୍ବାଚନକୁ ଗତଥର ବାତିଲ୍ କରାଯାଇଥିଲା। ଏବେ ସଂକ୍ରମଣ ଆୟତାଧୀନ ଥିବାରୁ ନିର୍ବାଚନ କମିଶନଙ୍କ ଆଦେଶକ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଏହି ଭୋଟ୍ଦାନ ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି। ସମୁଦାୟ ୧୦ ଜଣ ଆଶାୟୀ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ପ୍ରାୟ ୨ ଲକ୍ଷ ୨୯ ହଜାର ୯୯୮ ମତଦାତାସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଏଥିଲାଗି ୩୪୮ ମତଦାନ କେନ୍ଦ୍ରନିର୍ଦ୍ଧାରଣ କରାଯାଇଛି। ସକାଳ ୭ଟାରେରେ ମତଦାନ ଆରମ୍ଭ ହୋଇଛି ଓ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ପିପିଲିରେ ୧୯୯ ଏବଂ ଡେଲାଙ୍ଗ ବ୍ଲକ୍ରେ ୧୪୯ ମତଦାନ କେନ୍ଦ୍ରରେ ଏହି ମତଦାନ ହେଉଛି। ୧୨ଟି ମତଦାନ କେନ୍ଦ୍ରରେ ଭିଡିଓ ରେକର୍ଡିଂ କରାଯାଉଛି। ନିର୍ବାଚନ କମିସନଙ୍କ ନିର୍ଦେଶ ଅନୁଯାୟୀ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଚଳିତ ନିର୍ବାଚନରେ କରୋନା କଟକଣା କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
କଡ଼ା ସୁରାକ୍ଷା
୧୦୨ଟି ଅତି ସମ୍ବେଦନଶୀଳ ଏବଂ ୭୩ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଉପରେ ତୀକ୍ଷ୍ଣ ନଜର ରଖିଛି ପ୍ରଶାସନ। ସେସବୁ ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ୨୫ ପ୍ଲାଟୁନ ପୁଲିସ ଫୋର୍ସ ସମେତ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ, ୧୬୩ ସହକାରୀ ଆରକ୍ଷୀ ନିରୀକ୍ଷକ, ୭୩୬ ହାବିଲଦାର ଓ କନଷ୍ଟେବଳଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି।
ପିପିଲି ନିର୍ବାଚନ ମଣ୍ଡଳୀକୁ ୪ଗୋଟି ଜୋନ୍ କରାଯାଇଛି। ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହଙ୍କ ନେତୃତ୍ବରେ ୩ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏବଂ ୪ଜଣ ଉପଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ବରେ ରହିଛନ୍ତି। ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି। ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ ବଳଙ୍ଗା ଥାନା ଅଞ୍ଚଳରେ ପୁଲିସ ପଇଁତରା କଡ଼ାକଡ଼ି କରାଯାଇଛି। ୩୨ଟି ଭ୍ରାମ୍ୟମାଣ ଦଳ କାର୍ଯ୍ୟ କରୁଛି। ୧୯୮୩ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି।
ଆଗାମୀ ୩ତାରିଖରେ ଭୋଟ ଗଣତି କରାଯିବା ସହ ଫଳାଫଳ ଘୋଷଣା କରାଯିବ। ତେଣୁ ଆଜି ମତଦାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଇଭିଏମ୍ ଗୁଡ଼ିକୁ ପୁରୀ ଅଣାଯିବ।