ହିଂସାକାଣ୍ଡରେ ଫସି ଯାଇଥିଲେ ଓଡ଼ିଆ କଳାକାର, ୫ ଘଣ୍ଟା ପରେ ହେଲେ ଉଦ୍ଧାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ବଜାଶାଲ୍ କଳାକାରମାନେ ଏହି ହିଂସାକାଣ୍ଡରେ ଫସି ଯାଇଥିଲେ।

ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଭାଗନେଇ ଏହି ସାଂସ୍କୃତିକ ଦଳ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ସହ ଅନ୍ୟ ରାଜ୍ୟର କଳାକାର ମଧ୍ୟ ଥିଲେ। ଏହି ସମୟରେ  ଟ୍ରାକ୍ଟର ଚଳାଇ ଚାଷୀମାନେ ଦିଲ୍ଲୀ ଭିତରେ ପ୍ରବେଶ କରିଥିବାରୁ ଲାଲ୍‌କିଲ୍ଲା ଠାରେ ସମସ୍ତ କଳାକାରମାନେ ଫସି ରହିଥିଲେ।

ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁ ସମ୍ପୃକ୍ତ କଳାକାରମାନେ ବାହାରିପାରି ନଥିଲେ। ମଧ୍ୟାହ୍ନ ୧୨ଟାରୁ ଫସି ରହିଥିଲେ। ପ୍ରାୟ ୫ ଘଣ୍ଟା ଧରି ଫସି ରହିବା ପରେ ସନ୍ଧ୍ୟାରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦରିଆଗଞ୍ଜ ମେସ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଏହି କଳାକାରଙ୍କ ସହ କିଛି ଛାତ୍ରଛାତ୍ରୀ ବି ଫସିଥିଲେ। ସମସ୍ତଙ୍କୁ ମିଶାଇ ପ୍ରାୟ ୩ ଶହ ଅଂଶଗ୍ରହଣକାରୀ ଏହି ହିଂସାକାଣ୍ଡ ସମୟରେ ଫସି ରହିଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି।

Leave a Reply

Your email address will not be published.