କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ୨ ଲକ୍ଷ ସହାୟତା, ତଦନ୍ତ ନିର୍ଦ୍ଦେଶ

ଅହମ୍ମଦାବାଦ, (ଓଡିଶା ଟାଇମ୍‌): ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ପ୍ରଶାସନ ପକ୍ଷରୁ ମେଡିକାଲକୁ ସିଲ୍ କରି ଦିଆଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ (ପିଏମଏନଆରଏଫ୍‌)ରୁ ପ୍ରତି ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଅଗ୍ନିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାର ଅଧ୍ୟକ୍ଷତା ଆଡିସନାଲ୍ ଚିଫ୍ ସେକ୍ରେଟାରୀ (ଗୃହ ବିଭାଗ) ସଙ୍ଗୀତା ସିଂହ କରିବାକୁ ଥିବା ବେଳେ ୩ ଦିନ ଭିତରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ କୁହାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହି ଅଗ୍ନିକାଣ୍ଡ ପରେ ପ୍ରାୟ ୪୦ ଜଣ ରୋଗୀଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହାଛଡା ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି । ଏନେଇ ଗୁଜୁରାଟ ସରକାରର ଆଡିସନାଲ୍ ଚିଫ୍ ସେକ୍ରେଟାରୀ ରାଜୀବ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।

ଏହି ଘଟଣାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ମେୟରଙ୍କ ସହ ଅଘଟଣ ସମ୍ପର୍କରେ ଆଲୋଚନା କରିବା ସହ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସହାୟତା କରାଯିବ ବୋଲି ଟ୍ୱିଟରେ ଉଲ୍ଲେଖ କରିଥିଲେ ।

Leave a Reply

Your email address will not be published.