ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ପିଏମ୍‌ ମୋଦି ଖୁଆଇଲେ କେକ୍‌, ପାଦ ଛୁଇଁ ନେଲେ ଆଶୀର୍ବାଦ;

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ବିଜେପିର ଭୀଷ୍ମ ପିତାମହ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ। ରବିବାର ଦିନ ଆଡଭାନୀ ୯୩ ବର୍ଷରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭକାମନା ଜଣାଇବା ସହ କେକ୍‌ କାଟିଛନ୍ତି। ଏହା ପରେ ଉଭୟେ ପରସ୍ପରକୁ କେକ୍‌ ଖୁଆଇଥିଲେ।

ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, ବିଜେପିକୁ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ଦେଶର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ସହ ଦେଶବାସୀଙ୍କ ପ୍ରେରଣାର ସ୍ରୋତ। ତାଙ୍କ ଆୟୁଷ ଓ ସୁସ୍ଥ ଜୀବନ ପାଇଁ ମୋଦି ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଛଡା ବିଜେପିର ଅନେକ ନେତା ମଧ୍ୟ ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପର୍ଯାବରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ଜନସଂଘ, ବିଜେପିର ମହାନ ନେତା ଏବଂ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ସୁସ୍ଥ ରୁହନ୍ତୁ। ତାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଆଡ଼ଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଡ଼ଭାନୀଙ୍କ ଜନ୍ମଦିନ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଅମିତ ଶାହ ଟ୍ୱିଟ କରି କହିଛନ୍ତି, ‘ଆଦରଣୀୟ, ଆଡ଼ଭାନୀ ଜି, ଆପଣ ନିଜ ପରିଶ୍ରମ ଓ ନିସ୍ୱାର୍ଥ ସେବା ଭାବରେ ଦେଶର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଆପଣ ବିଜେପିର ରାଷ୍ଟ୍ରବାଦୀ ବିଚାରଧାରା ବିସ୍ତାରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଈଶ୍ୱରଙ୍କ ପାଖରେ ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ କାମନା କରୁଛି।’

Leave a Reply

Your email address will not be published. Required fields are marked *