କରୋନା ଟିକା ବିକଶିତ କାର୍ଯ୍ୟ ସମୀକ୍ଷା କରିବାକୁ ଆଜି ୩ଟି ସହର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଟୀକା ସଂପର୍କରେ ସମୀକ୍ଷା କରିବେ। ଭାରତରୋ କରୋନା ଟିକା ପ୍ରସ୍ତୁତ କରୁଥିବା ୩ଟି ଫାର୍ମ ଜିଡସ୍ କାଡିଲା, ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିପାଇଁ ଅହମ୍ମଦାବାଦ, ପୁନେ ଓ ହାଇଦ୍ରାବାଦ ଯିବେ ପ୍ରଧାନମନ୍ତ୍ରୀ। ଜିଡସ୍ କାଡିଲା କମ୍ପାନୀ ଏହାର ଅହମ୍ମଦାବାଦ ସ୍ଥିତ ପ୍ଲାଣ୍ଟରେ ଜାଇକୋଭ୍- ଡି ଟିକା ପ୍ରସ୍ତୁତ କରୁଛି। ଅଗଷ୍ଟ ମାସରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି। ଅହମ୍ମଦାବାଦରୁ ପୁନେ ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ। ଏହାପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଯାଇ ସେଠାରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ୍ ଟିକା ସଂପର୍କରେ ସମୀକ୍ଷା କରିବେ।

ପ୍ରଧାନମନ୍ତ୍ରୀ ମୋଦି ଶନିବାର ସକାଳ ୯ଟାରେ ପ୍ରଥମେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଫାର୍ମା କମ୍ପାନି ଜାଇଡସ୍‌ କାଡିଲାର ‘ଜାଇଡସ୍‌ ବାୟୋଟେକ୍‌ ପାର୍କ’ ଗସ୍ତ କରିବେ। ଅହମ୍ମଦାବାଦ ସହର ଉପକଣ୍ଠରେ ଥିବା ଏହି ସଂସ୍ଥା ନିଜସ୍ୱ କରୋନା ଟିକା ‘ଜାଇକୋଭ୍‌-ଡି’ ପ୍ରସ୍ତୁତ କରୁଛି । ଚାଙ୍ଗେଦର ପାର୍କରେ ଏହି ଟିକାର ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଏଠାରେ ସେ ପ୍ରାୟ ଏକ ଘଣ୍ଟା ରହିବେ । ସେଠାରୁ ସେ ପୁନେ ଅଭିମୁଖେ ଗସ୍ତ କରିବେ ।

ପୁନେରେ ଅକ୍ସଫୋର୍ଡ-ଅଷ୍ଟ୍ରାଜେନେକା କରୋନା ପ୍ରତିଷେଧକ ଟିକା ‘କୋଭିସିଲ୍ଡ’ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୩୦ରେ ପୁନେର ଲାହେଗାଓଁ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ହେଲିକପ୍ଟର ଯୋଗେ ସେରମ ଇନଷ୍ଟିଚ୍ୟୁଟ୍ ଯିବେ। ଟିକା ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ପରୀକ୍ଷଣ ଓ ବଣ୍ଟନ ପ୍ରକ୍ରିୟା ବାବଦରେ ମଧ୍ୟ ଆଲୋଚନା କରିବେ ।  ଏବେ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ୍ ଚାଲିଛି ।

Leave a Reply

Your email address will not be published. Required fields are marked *