କଂଗ୍ରେସ ନେତା ଗୁଲାମ ନବୀଙ୍କୁ ବିଦାୟ ଦେବାବେଳେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ତେବେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଷୟରେ ସମ୍ବୋଧନ କରିବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜରାଟ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ କଥା ମନେ ପକାଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଓ ଗୁଲାମ ନବୀ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଆତଙ୍କବାଦୀମାନେ ଗୁଜରାଟ ଟୁରିଷ୍ଟଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ଘଟିବା ପରେ ପ୍ରଥମେ ଗୁଲାମ ନବୀ ମୋଦିଙ୍କ ପାଖକୁ ଫୋନ୍ କରି ସମବେଦନା ଜଣାଇଥିଲେ। ଫୋନ୍‌ କରିବା ବେଳେ ତାଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା।

ରାତିରେ ଏୟାରପୋର୍ଟରେ ଥିବା ବେଳେ ମଧ୍ୟ ପୁଣି ଥରେ ଫୋନ୍ କରିଥିଲେ ଗୁଲାମ ନବୀ। ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚିନ୍ତା କଲା ଭଳି ଚିନ୍ତା ବ୍ୟକ୍ତ କରିଥିଲେ ଗୁଲାମ। ଏହି ସ୍ମୃତି ମନେ ପକାଇବା ବେଳେ ପ୍ରଧାନମନ୍ତ୍ରୀଙ୍କ ଛାତି କୋହରେ ଭରିଯାଇଥିଲା। ଏହାପରେ ସଂସଦରେ ସମସ୍ତେ ତାଳିମାରି ଗୁଲାମ ନବୀଙ୍କୁ ଧନ୍ୟବାଦ ବ୍ୟକ୍ତ କରିଥିଲେ।

ମୋଦି ଆହୁରି ମଧ୍ୟ କହିଥିଲେ, ପଦବୀ ଓ ପାୱାର ଜୀବନରେ ଆସେ ଓ ଯାଏ। କିନ୍ତୁ ଏହାକୁ କିପରି ନିୟନ୍ତ୍ରଣ କରିହେବ ତାହା ଗୁଲାମ ନବୀଙ୍କ ଠାରୁ ଶିଖିବା ଦରକାର ବୋଲି ମୋଦି କହିଥିଲେ। ଏତିକି ବେଳେ ଶ୍ରଦ୍ଧାରେ ତାଙ୍କୁ ସାଲ୍ୟୁଟ୍ କରିବା ବେଳେ କାନ୍ଦି ପକାଥିଲେ ମୋଦି। ଏହି ଘଟଣା ତାଙ୍କ ପାଇଁ ଭବପ୍ରବଣର ଦିନ ଥିଲା। ଏଥିପାଇଁ ଏକ ବନ୍ଧୁ ଭାବରେ ଗୁଲାମଙ୍କ ଆଦର କରେ ବୋଲି ମୋଦି କହିଥିଲେ।

Leave a Reply

Your email address will not be published. Required fields are marked *