ଜେନେରାଲ ବିପିନ ରାୱତଙ୍କ ଦେହାନ୍ତରେ ପ୍ରତ୍ୟେକ ଦେଶଭକ୍ତ ଦୁଃଖିତ-ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ଉତ୍ତର ପ୍ରଦେଶ ବଳରାମପୁରରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ଦେହାନ୍ତରେ ଦେଶଭକ୍ତ ଦୁଃଖି ଅଛନ୍ତି। ୮ ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଦେଶର ବୀର ଯୋଦ୍ଧାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବିପିନ ରାୱତଙ୍କ ଦେହାନ୍ତ ଭାରତପ୍ରେମୀ, ପ୍ରତ୍ୟେକ ଦେଶଭକ୍ତଙ୍କ ପାଇଁ ବହୁତ ବଡ କ୍ଷତି ବୋଲି ମୋଦି କହିଛନ୍ତି। ସେ ବହୁତ ସାହସୀ ଥିଲେ। ସାରା ଦେଶ ତାଙ୍କ ପରିଶ୍ରମର ସାକ୍ଷୀ। ସୈନିକର ପୁରା ଜୀବନ ଜଣେ ଯୋଦ୍ଧା ଭଳି ହୋଇଥାଏ ବୋଲି ସେ କହିଛନ୍ତି।

ଜନସଭାକୁ ସମ୍ବୋଧିତ କରି ପିଏମ ମୋଦି କହିଛନ୍ତି ଯେ, ଦେଶ ଶୋକରେ ଅଛି, କିନ୍ତୁ ଏହି ଯନ୍ତ୍ରଣା, କଷ୍ଟ ସହ୍ୟ କରି ମଧ୍ୟ ଆମେ ଆମ ଗତି ରୋକି ନାହୁଁ, କି ପ୍ରଗତି ଅଟକିନି…ଭାରତ ନା କେବେ ଅଟକିବ ନା ଥମିବ…ଆମେ ଭାରତୀୟ ପରିଶ୍ରମ କରିବୁ। ଦେଶ ଭିତରେ ଓ ବାହାରେ ଥିବା ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବୁ। ଭାରତକୁ ଆହୁରି ଶକ୍ତିଶାଳୀ କରି ଗଢି ତୋଳିବୁ। ମୋଦି କହିଛନ୍ତି ଯେ ଦୁର୍ଘଟଣାରେ ଗୁରୁତର ହୋଇ ଜୀବନ ମୃତ୍ୟୁ ସହ ଲଢ଼ୁଥିବା ବରୁଣ ସିଂହଙ୍କୁ ବଞ୍ଚାଇବାକୁ ଡାକ୍ତର ଦିନ ରାତି ଏକ କରି ଦେଇଛନ୍ତି। ବରୁଣଙ୍କ ସୁସ୍ଥ କାମନା କରି ମୋଦି ପାଟେଶ୍ୱରୀ ମା’ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଦେଶ ବରୁଣ ସିଂହଙ୍କ ପରିବାର ସହ ଅଛି। ଯେଉଁ ବୀର ଯୋଦ୍ଧାମାନଙ୍କୁ ଆମେ ହରେଇ ଦେଇଛୁ ସେମାନଙ୍କ ପରିବାର ସହ ଆମେ ଅଛୁ ବୋଲି ସେ କହିଛନ୍ତି।

ପିଏମ ମୋଦି କହିଛନ୍ତି ଯେ, ଦେଶର ସୀମା ସୁରକ୍ଷା ବଢାଇବା କାମ, ସୀମା ଭିତ୍ତିଭୂମି ମଜବୁତ କରିବା କାମ, ସେନାକୁ ଆତ୍ମନିର୍ଭର କରିବା ଅଭିଯାନ, ୩ ସେନା ମଧ୍ୟରେ ତାଳମେଳ ଉତ୍ତମ କରିବା କାମ, ଏହିଭଳି ଅନେକ କାମ ଆଗକୁ ଜାରି ରହିବ।

Leave a Reply

Your email address will not be published. Required fields are marked *