୨୯ ବର୍ଷ ପରେ ଅଯୋଧ୍ୟାରେ ମୋଦି; ପୂରା ହେଉଛି ରାମ ମନ୍ଦିର ନିର୍ମାଣ ସ୍ୱପ୍ନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାମ ମନ୍ଦିରର ଶିଳାନ୍ୟାସ ଲାଗି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁହାଯାଉଛି ଯେ ମୋଦି ପ୍ରାୟ ୨୯ ବର୍ଷ ପରେ ରାମ ଜନ୍ମଭୁମିରେ ପାଦ ରଖିଛନ୍ତି ।

ଏହା ପୂର୍ବରୁ ୨୯ ବର୍ଷ ତଳେ ତଥା ୧୯୯୧ ମସିହାରେ ସେ ଅଯୋଧ୍ୟା ଯାଇଥିଲେ । ସେ ସମୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ ଯାଇ ଏଠାକୁ ଆସିବି ବୋଲି ମୋଦି ସଂଙ୍କଳ୍ପ କରିଥିଲେ । ଏବେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଶା ପୂରଣ ହେବାକୁ ଯାଉଥିବା ବେଳେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି ।

ତତପରେ ସେ ହନୁମାନଗଢି ଯାଇ ଦର୍ଶନ କରିବା ପରେ ପୂଜାରେ ବସିଛନ୍ତି । ଏହି ଅବସରରେ ସେ ପାରିଜାତ ବୃକ୍ଷ ଲଗାଇଥିବା ବେଳେ ତାଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଉପସ୍ଥିତ ଥିଲେ ।

ଆଉ କିଛି ସମୟ ପରେ ମୋଦି ଶିଳାନ୍ୟାସ କରିବାକୁ ଯାଉଥିବା ବେଳେ ପ୍ରୟା ୫୦୦ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ନେଇ ସ୍ୱପ୍ନ ପୂରା ହେବାକୁ ଯାଉଛି ।

ଗତକାଲି ଶ୍ରୀ ରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ପରେ କିପରି ଦେଖାଯିବ, ସେନେଇ କିଛି ମଡେଲ୍ ଫଟୋ ଶେୟାର କରିଥିଲେ । ଯେଉଁଥିରେ ରାମ ମନ୍ଦିରର ମଡେଲକୁ ବଦଳା ଯାଇ ଏହାକୁ ଭବ୍ୟ ରୂପ ଦିଆଯାଇଛି । ପୂର୍ବରୁ ମନ୍ଦିରର ମୁଖ୍ୟ ଶିଖରର ଉଚ୍ଚତା ୧୨୮ ଫୁଟ୍ ରହିଥିବା ବେଳେ ଏବେ ୧୬୧ ଫୁଟ୍ ହେବ ।

ସୂଚନାଯୋଗ୍ୟ, ରାମ ମନ୍ଦିର ଭୂମି ପୂଜନ ସମାରୋହରେ ସାମିଲ ହେବା ଲାଗି ସଂଘ ପ୍ରମୁଖ ମୋହନ ଭାଗବତ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହାଛଡା ଭାଗବତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ଏବଂ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ସହ  ପ୍ରମୁଖ ବ୍ୟକ୍ତିବିଶେଷ ସାମିଲ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.