ହୁହୁ ହୋଇ ବଢିଚାଲିଛି କରୋନା ମାମଲା, ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କରୋନା ମାମଲା ବଡିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଅର୍ଥାତ ଦୈନିକ ନୂଆ ସକ୍ରିୟ ମାମଲା ଲକ୍ଷେ ନିକଟତର ହୋଇଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।
ବଢିଚାଲିଥିବା କରୋନା ମାମଲା ଓ ଏହି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇପାରେ । ଏହାସହ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କହିପାରନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଟିକାକରଣ ବାବଦରେ ମଧ୍ୟ ସମୀକ୍ଷା କରିବେ । ଏହି ବୈଠକରେ କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୫୧୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି।
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୧୬ ଲକ୍ଷ ୨୯ ହଜାର ୨୮୯ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୯୧୫୯୭ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୫୯୭୯୬୫୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।