ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ଶୁଭାରମ୍ଭ କଲେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିଛନ୍ତି । ଏହି ପାଣ୍ଠି କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍, କୃଷି କ୍ଷେତ୍ରରେ ଟେକ୍ନୋଲୋଜି କମ୍ପାନୀ ଏବଂ କୃଷକ ଗୋଷ୍ଠୀକୁ ଅମଳ ପରବର୍ତ୍ତୀ ପରିଚାଳନାରେ ସାହାଯ୍ୟ କରିବା ପାଇଁ ତିଆରି କରାଯାଇଛି । ଏହା ସହ ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁସାରେ ୮.୫୫ କୋଟିରୁ ଅଧିକ ଚାଷୀଙ୍କ ପାଇଁ ୧୭ ହଜାର ୧୦୦ କୋଟି ଟଙ୍କାର ଷଷ୍ଠ କିସ୍ତି ଜାରି କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ହେଉଛି ପବିତ୍ର ହଳ ଷଷ୍ଠୀ। ଏହା ଭଗବାନ ବଳରାମଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ଦେଶର ଚାଷୀମାନଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ ଚାଷୀମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ସହାୟତା ଘୋଷଣା କରୁଛି। ଏହାଦ୍ବାରା ଉନ୍ନତ ଷ୍ଟୋରେଜ୍, ଗ୍ରାମରେ ଆଧୁନିକ ଶୀତଳ ଭଣ୍ଡାର ଶୃଙ୍ଖଳା ସୃଷ୍ଟି କରିବାରେ ସହାୟକ ହେବ ଏବଂ ଗାଁରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅଧୀନରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏହି ପାଣ୍ଠି ଅମଳ ପରବର୍ତ୍ତୀ ପରିଚାଳନା ଭିତ୍ତିଭୂମି ଏବଂ କୃଷି ସମ୍ପତ୍ତି ଯେପରିକି ଶୀତଳ ଭଣ୍ଡାର, ସଂଗ୍ରହ କେନ୍ଦ୍ର, ପ୍ରକ୍ରିୟାକରଣ ୟୁନିଟ୍ ଇତ୍ୟାଦି ସୃଷ୍ଟି କରିବାରେ ବିନିଯୋଗ ହେବ।

 

Leave a Reply

Your email address will not be published.