ଓ୍ୱାସିଂଟନ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ୱାସିଂଟନ, (ଓଡିଶା ଟାଇମ୍):ତିନିଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନରେ ପହଞ୍ଚିଛନ୍ତି। ୱାଶିଂଟନ୍‌ରେ ପିଏମ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ପହଞ୍ଚିଲା ବେଳକୁ ୱାଶିଂଟନ୍‌ରେ ପ୍ରବଳ ବର୍ଷା ହେଉଥିବା କାରଣରୁ ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବାକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଅନେକ ଅଧିକାରୀ ପହଞ୍ଚିଥିଲେ। ଏହି ସମୟରେ ବିମାନ ବନ୍ଦରରେ ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସନ୍ଧୁ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ଭାରତୀୟ ସମ୍ପ୍ରଦାୟର ପ୍ରାୟ ୧୦୦ରୁ ଅଧିକ ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ବିମାନ ବନ୍ଦରରେ ଆମେରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଲାଗିଥିଲା। ମୋଦି ନିଜ କାରକେଡ୍‌ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶରେ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବର୍ଷା ହେଉଥିବା ସତ୍ତ୍ୱେ ମଧ୍ୟ ଶତାଧିକ ଲୋକ ମୋଦିଙ୍କ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ। ଏହା ଦେଖି ମୋଦି ନିଜ କାରରୁ ଓହ୍ଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏ ସମ୍ପର୍କରେ ମୋଦି ନିଜେ ଫଟୋ ଟ୍ୱିଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗସ୍ତ ଅବସରରେ ମୋଦି ଆମେରିକୀୟ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ସହିତ ସାକ୍ଷାତ କରିବେ । ଏହାପରେ ଆମେରିକା ଉପ-ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ମଧ୍ୟ ଆଲୋଚନା କରିବେ। ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଏକ ବୈଠକର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published.