ଦେଶରେ ଜୁନ ୨୧ରୁ ସମସ୍ତଙ୍କୁ ମାଗଣାରେ ମିଳିବ ଟିକା, ରାଜ୍ୟକୁ ଭ୍ୟାକ୍‌ସିନ ଯୋଗାଇ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ଦ୍ବିତୀୟ ଲହର ଆୟତ୍ତକୁ ଫେରୁଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଆଜି ବି ଦେଶ କରୋନା ସହ ଲଢ଼ୁଛି। ଗତ ଦିନରେ କରୋନାର ସଂକ୍ରମଣର ପିକ୍‌ ଦେଖିବାକୁ ମିଳିଛି। ଏଥିରେ ବହୁ ସଂଖ୍ୟକ ଲୋକଙ୍କୁ ହରାଇଲେ। ଅକ୍ସିଜେନ୍‌ ଚାହିଦା ବଢ଼ିବା ପ​‌ରେ ସେନା ମଧ୍ୟ କାର୍ଯ୍ୟରେ ଲାଗିଥିଲା। କରୋନା ଭଳି ଅଦ୍ଭୁତ ଶତ୍ରୁ ସହ ଲଢ଼ିବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି କରୋନା ପ୍ରୋ​‌ଟୋକଲ୍‌। ମାସ୍କ ସହ ଦୁଇ ମିଟର ସାମାଜିକ ଦୂରତା ସବୁଠୁ ଭଲ ଉପାୟ ବୋଲି ମୋଦୀ କହିଛନ୍ତି।

ଏହା ସହ ଭ୍ୟାକସିନ୍‌ କରୋନା ବିରୋଧରେ ଏକ ସୁରକ୍ଷା ଚକ୍ର। କିନ୍ତୁ ବୁଝିବାକୁ ପଡ଼ିବ ଯେ ଦୁନିଆରେ ଭ୍ୟାକସିନ୍‌ ସପ୍ଲାଏ କମ୍‌ ହେଉଛି। ଏମିତି ବହୁତ କମ୍‌ ଦେଶ ଏବଂ କମ୍ପାନୀ ରହିଛି ଯେଉଁଠି ଟିକା ଉତ୍ପାଦନ ହେଉଛି। ଗୋଟିଏ ସମୟରେ ଟିକା ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ଯଦି ଆଜିକା ଦିନରେ ଭାରତରେ କରୋନା ଭ୍ୟାକସିନ୍‌ ଉତ୍ପାଦନ ହେଉନଥାନ୍ତା ତେବେ ଭାବନ୍ତୁ କଣ ହୁଅନ୍ତା ବୋଲି ମଧ୍ୟ ମୋଦୀ କହିଛନ୍ତି। ଆମେ ଶାସନକୁ ଆସିବା ବେଳେ ଟିକାକରଣ ସ୍ପିଡ୍‌ ବହୁତ କମ ଥିଲା। କିନ୍ତୁ ଆମେ ଶତପ୍ରତିଶତ ଟିକାକରଣ ପାଇଁ ମିଶନ ଚନ୍ଦ୍ରଧନୂଷ ଲଞ୍ଚ କଲୁ। ୧୦୦ ପ୍ରତିଶତ ଟିକାକରଣ ଆଡ଼କୁ ବଢ଼ୁଥିବା ବେଳେ କରୋନା ଘେରିଗଲା। ବିଶ୍ବ ଭାବୁଥିଲା କେମିତି ଭାରତ ଏତେ ଲୋକଙ୍କୁ ସୁରକ୍ଷା ଦେବ। ସ୍ବଭାବ ଭଲ ଥିଲେ ପରିଣାମ ବି ଭଲ ହେବ ବୋଲି ମୋଦୀ କହିଛନ୍ତି।

ଗୋଟିଏ ବର୍ଷ ମଧ୍ୟରେ ଦୁଇଟି ଭ୍ୟାକସିନ୍‌ ପ୍ରସ୍ତୁତ ହୋଇଗଲା। ଏବେ ଭାରତରେ ୨୩ କୋଟି କରୋନା ଭ୍ୟାକସିନ୍‌ ଡୋଜ୍‌ ଦିଆସରିଛି ବୋଲି ସେ କହିଛନ୍ତି। ଏଠାରେ କୁହାଯାଏ ବିଶ୍ବାସ ହିଁ ସିଦ୍ଧି। ଟିକା ତିଆରିରେ ବୈଜ୍ଞାନିକମାନେ ଲାଗିଥିବା ବେଳେ ଆମେ ଭ୍ୟାକସିନ୍‌ ଟାସ୍କ ଫୋର୍ସ ଗଠନ କରିଥିଲୁ। ଭ୍ୟାକସିନ ନିର୍ମାତାଙ୍କୁ କ୍ଲିନିକାଲ ଟ୍ରାଏଲଠୁ ଫଣ୍ଡ ପର୍ଯ୍ୟନ୍ତ ସବୁ ପ୍ରକାର ସାହାଯ୍ୟ କରାଗଲା। ଆତ୍ମନିର୍ଭର ଭାରତ ଜରିଆରେ ଟିକା କମ୍ପାନୀକୁ ହଜାର ହଜାର କୋଟି ଦିଆଯାଇଥିଲା ବୋଲି ସେ କହିଛନ୍ତି।

ଅନ୍ୟପଟେ କରୋନା ସଂକ୍ରମଣର ତୃତୀୟ ଲହରରେ ଛୋଟ ପିଲା ପ୍ରଭାବିତ ହେବାକୁ ନେଇ ଆଶଙ୍କା କରି ମୋଦୀ କହିଛନ୍ତି ୨ଟି ଟିକା ଉପରେ ଟ୍ରାଏଲ ଚାଲିଛି। ଗୋଟିଏ ନାଜାଲ୍‌ ଭ୍ୟାକସିନ୍‌ ଉପରେ ମଧ୍ୟ କାମ ଚାଲିଛି। ଏହା ସହ ମୋଦୀ ବଡ଼ ଘୋଷଣା କରିଛନ୍ତି । ଏବେ ଭ୍ୟାକସିନ୍‌ ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ ନାହିଁ। କେନ୍ଦ୍ର ଟିକା କିଣି ରାଜ୍ୟକୁ ଦେବ। ୨୧ ଜୁନ୍‌ରୁ ସମସ୍ତଙ୍କୁ ମଗଣାରେ ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *