ନଭେମ୍ବର ଯାଏଁ ଜାରି ରହିବ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ’ ଅନ୍ନ ଯୋଜନା; ଖର୍ଚ୍ଚ ହେବ ୯୦ ହଜାର କୋଟି ଟଙ୍କା: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହିତ ଏକ ବଡ ଘୋଷଣା କରିଛନ୍ତି । ଯାହାର ଲାଭ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ମିଳିପାରିବ ।

ଆସନ୍ତା ନଭେମ୍ବର ଶେଷ ଯାଏଁ ପ୍ରଧାନମନ୍ତ୍ରୀ ମୋଦି ‘ଗରିବ କଲ୍ୟାଣ ଅନ୍ନ ଯୋଜନା’କୁ ବଢାଇ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଆଗକୁ ଆସୁଥିବା ପର୍ବପର୍ବାଣି ଯୋଗୁଁ ଜନସାଧାରଣଙ୍କ ଖର୍ଚ୍ଚ ମଧ୍ୟ ବଢିବ । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଯୋଜନାରେ ବୃଦ୍ଧି କରାଯାଇଛି ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଲକଡାଉନ ସମୟରେ ଆମର ପ୍ରଥମ ପ୍ରାଥମିକତା ରହିଛି ଯେ ଦେଶର କୌଣସି ବ୍ୟକ୍ତିଙ୍କୁ ଉପବାସରେ ନ ରହିବାକୁ ପଡିବ । କେହି ବ୍ୟକ୍ତି ଯେପରି ଉପବାସରେ ନ ରହିବେ ସେଥିପାଇଁ କେନ୍ଦ୍ର ହୁଅନ୍ତୁ କି ରାଜ୍ୟ ସରକାର କିମ୍ବା ସିଭିଲ୍ ସୋସାଇଟିର ଲୋକ ହୁଅନ୍ତୁ, ସମସ୍ତେ ପ୍ରଚେଷ୍ଟା କରିଥିଲେ । ଏହାକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’କୁ ବଢା ଯାଉଛି ।

‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅଧିନରେ ଦେଶର ୮୦ କୋଟି ଲୋକଙ୍କୁ ପାଞ୍ଚ କେଜି ଗହମ କିମ୍ବା ଚାଉଳ ସହ ୧ କିଲୋ ଚଣା ମଧ୍ୟ ପ୍ରଦାନ କରାଯିବ । ଏହି ଯୋଜନା ବଢାଇବା ଯୋଗୁଁ ୯୦ ହଜାର କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ଏଥିରେ ଯଦି ଗତ ୩ ମାସର ଖର୍ଚ୍ଚ ଯୋଡିବା ତାହେଲେ ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କା ହେବ ।

ସେହିପରି ସାରା ଦେଶରେ ୱାନ ନେସନ ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା ହେବାକୁ ଯାଉଛି । ଏହି ବ୍ୟବସ୍ଥା ଲାଗୁ ହେଲେ ପ୍ରବାସୀ ଲୋକଙ୍କୁ ଖୁବ୍ ଲାଭ ମିଳିବ । ଯେଉଁମାନେକି କାମ ଅନ୍ୱେଷଣରେ ଗାଁ ଛାଡି ଅନ୍ୟ ସ୍ଥାନକୁ ଯାଉଛନ୍ତି ।

Leave a Reply

Your email address will not be published.