ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଗଞ୍ଜାମର ତିନି କରୋନା ଆକ୍ରାନ୍ତ
ଗଞ୍ଜାମ, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ କରୋନା ମୁକାବିଲା ଦିଗରେ ସଫଳ ହୋଇଛି ପ୍ଲାଜମା ଥେରାପି । ଗଞ୍ଜାମରେ ପ୍ଲଜମା ଥେରାପି ନେଇଥିବା ୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଏହି ୩ ରେଗାୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ନେଇ ଜିଲ୍ଲାପାଳ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।
କିଛି ଦିନ ତଳେ କଟକର ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ପ୍ଲାଜମା ଚିକିତ୍ସା ପରେ କରୋନାରୁ ସୁସ୍ଥ ହୋଇଛନ୍ତି ଗଞ୍ଜାମର ତିନି ଜଣ କରୋନା ଆକ୍ରାନ୍ତ । କରୋନା ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । ଏମାନେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ଏହାପରେ ଟାଟା ହସ୍ପିଟାଲରେ ଏମାନଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଥିଲା । ପ୍ଲାଜମା ଚିକିତ୍ସା ପରେ ଏମାନେ ସୁସ୍ଥ ହୋଇଥିବା ଜଣା ଯାଇଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସୁସ୍ଥ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ଏମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି । ସେହିପରି ସୁସ୍ଥ ହୋଇଥିବା ସମସ୍ତଙ୍କୁ ପ୍ଲାଜମା ଦାନ ପାଇଁ ଜିଲ୍ଲାପାଳ ଅପିଲ କରିଛନ୍ତି ।