ଉପ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ପାଇଲଟ୍ ବିଦା
ଭୁବନେଶ୍ବର, (ଓଡିଶା ଟାଇମ୍) : ଗେହଲଟ୍–ପାଇଲଟଙ୍କୁ ନେଇ ବଢ଼ିଲା କଂଗ୍ରେସର ରାଜସ୍ଥାନ ଚିନ୍ତା । ଘୋଡ଼ା ବେପାର ରାଜନୀତିର ଶେଷ ପର୍ଯ୍ୟାୟ ହୋଟେଲ୍ ପଲିଟିକ୍ସ ଡେଇଁ ଏବେ ଭୁଶୁଡ଼ି ପଡ଼ିବା ସ୍ଥିତିରେ ରାଜସ୍ଥାନ ସରକାର । କଂଗ୍ରେସ ପାଇଁ ମଧ୍ୟପ୍ରଦେଶ, ରାଜସ୍ଥାନ ହେବାକୁ ଏବଂ ସଚିନ୍ ପାଇଲଟ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ ହେବାକୁ ଆଉ ମାତ୍ର ଅଳ୍ପ କିଛି ଡେଭଲପମେଣ୍ଟ ବାକି ରହିଛି ।
ସୋମବାର ବିଧାୟକ ଦଳ ବୈଠକକୁ ଆସି ନଥିବା ସଚିନ୍ ପାଇଲଟ୍, ମଙ୍ଗଳବାର ମଧ୍ୟ ଦ୍ୱିତୀୟ ବୈଠକକୁ ଆସିଲେନି । ଫଳରେ କଂଗ୍ରେସ, ତାଙ୍କ ବିରୋଧରେ ଆକ୍ସନ୍ସ ନେଇଛି । ଉପ ମୁଖ୍ୟମନ୍ତ୍ରୀ ଓ ଦଳର ରାଜ୍ୟ ସଭାପତି ପଦରୁ ପାଇଲଟଙ୍କୁ ବାହାର କରି ଦେଇଛି ଦଳ । ପାଇଲଟଙ୍କୁ ସମର୍ଥନ କରୁଥିବା ବିଶ୍ୱବେନ୍ଦ୍ର ସିଂହ ଏବଂ ରମେଶ ମୀନାଙ୍କୁ କ୍ୟାବିନେଟରୁ ବହିଷ୍କାର କରାଯାଇଛି । ବହିଷ୍କାର ପରେ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି ସଚିନ୍ ପାଇଲଟ୍ । ସତ୍ୟକୁ କଦାପି ପରାସ୍ତ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ସେପଟେ ବିଧାୟକ ଦଳ ବୈଠକ ପରେ ରାଜଭବନ ଯାଇ ରାଜ୍ୟପାଳ କଲରାଜ୍ ମିଶ୍ରାଙ୍କୁ ଭେଟିଛନ୍ତି ଅଶୋକ ଗେହଲଟ୍ । ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ବୋଲି କହିଛନ୍ତି ।
ପାଇଲଟ୍ ଗୋଷ୍ଠୀ, ଗେହଲଟଙ୍କୁ ଶକ୍ତି ପରୀକ୍ଷା ପାଇଁ ଆହ୍ୱାନ ଦେଇଥିବା ବେଳେ ସ୍ୱର ମିଳାଇଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ସତୀଶ ପୁନିଆ, ବିରୋଧୀ ଦଳ ନେତା ଗୁଲାବ୍ ଚାନ୍ଦ କଟାରିଆ ଏବଂ ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋଡ଼, ଦଳର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଭି. ସତୀଶଙ୍କ ସହ ବସି ରାଜ୍ୟ ରାଜନୀତିର ପରବର୍ତ୍ତୀ ପର୍ମୁଟେସନ୍–କମ୍ବିନେସନ୍ ହିସାବ ଚଳାଇଛନ୍ତି ।
ରାଜସ୍ଥାନ କ୍ରାଏସିସ୍ ମ୍ୟାନେଜର ଭାବେ ଯାଇଥିବା କଂଗ୍ରେସର କେନ୍ଦ୍ରୀୟ ନେତା ରଣଦୀପ ସୁର୍ଜେୱାଲାଙ୍କ ଉପସ୍ଥିତିରେ ଜୟପୁର ହୋଟଲରେ ବସିଥିଲା ଦ୍ୱିତୀୟ ବିଧାୟକ ଦଳ ବୈଠକ । ଯେଉଁଠୁ 3 ଜଣ ବିଧାୟକ ଛାଡ଼ି ପଳାଇବା ପରେ 2 ଶହ ଆସନ ବିଶିଷ୍ଟ ବିଧାନସଭାରେ ଗେହଲଟ୍ ସରକାରର ସଂଖ୍ୟା ଶହେକୁ ଖସି ଆସିଛି । ପାଇଲଟଙ୍କ ପଛରେ କଂଗ୍ରେସର 17 ଏବଂ 3 ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ଏଭଳି ସ୍ଥିତିରେ ରାଜସ୍ଥାନରେ କଂଗ୍ରେସକୁ ମଧ୍ୟପ୍ରଦେଶ ଛାଇ ଭୂତ ହୋଇ ଦେଖାଯିବା ସ୍ୱାଭାବିକ ।
ବିଜେପି ହିଁ ଧୂଳିଆ ଜନ୍ଦା ବେଶରେ ସଚିନ୍ ପାଇଲଟଙ୍କୁ ଧରି ରାଜସ୍ଥାନରେ ଅସ୍ଥିରତା ସୃଷ୍ଟି କରୁଥିବା ଗତ ଶନିବାର ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏପରିକି କିଛି କଂଗ୍ରେସ ବିଧାୟକଙ୍କୁ 15 କୋଟି ଟଙ୍କା ଯାଏଁ ଯଚା ଯାଉଥିବା ସେ କହିଥିଲେ । କିନ୍ତୁ ପାଇଲଟ୍, କଂଗ୍ରେସ ଛାଡ଼ିବାକୁ ରାସ୍ତା ପରିଷ୍କାର ହେଉଥିଲେ ମଧ୍ୟ, ସେ ବିଜେପିକୁ ଯିବେ କି ନାହିଁ, ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରୁନାହାନ୍ତି । ବିଜେପି କିନ୍ତୁ ପାଇଲଟଙ୍କ ପାଇଁ ଫିଦା । କାହିଁକି… ପାଇଲଟଙ୍କ ଠାରେ ଏମିତି କଣ ଅଛି କି ? କାରଣ ସଚିନ୍ ପାଇଲଟ୍ ହିଁ ଜଣେ ଦକ୍ଷ ପବ୍ଲିକ୍ ମ୍ୟାନେଜର । 2018ରେ ରାଜସ୍ଥାନରେ ବିଜେପି ଠାରୁ କ୍ଷମତା ଛଡ଼ାଇ ନେବାରେ ସେ ଅଗ୍ରଣୀ ଭୂମିକା ନିଭାଇ ଥିଲେ । ପୂର୍ବ ରାଜସ୍ଥାନର 49 ଆସନରୁ କଂଗ୍ରେସକୁ 42ଟିରେ ବିଜୟୀ କରାଇ ବିଜେପିର ମୂଳ ଦୋହଲାଇ ଦେଇଥିଲେ । ପୁଣି ଅତୀତରେ ୟୁପିଏ ସରକାର ଅମଳରେ ସଂରକ୍ଷଣକୁ ନେଇ ରାଜସ୍ଥାନରେ ଗୁଜ୍ଜର ଓ ମୀନା ସଂପ୍ରଦାୟ ମଧ୍ୟରେ ଟକରା ଟକରି ଜୋର୍ ଚାଲିଥିବା ବେଳେ, ପାଇଲଟ୍ ହିଁ ସେସବୁ ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇଥିଲେ । ଦୁଇ ସଂପ୍ରଦାୟର ଲୋକଙ୍କୁ ବୁଝାଇ, ନିଜର କରିଥିଲେ । ଦଳିତଙ୍କ ସମର୍ଥନ ମଧ୍ୟ ତାଙ୍କ ସହ ରହିଛି । ତେଣୁ ଏଭଳି ସ୍ଥିତିରେ ପାଇଲଟ୍ ଯଦି ପଦ୍ମ ଧରନ୍ତି, ତେବେ ମୀନା ସଂପ୍ରଦାୟକୁ ନେଇ ବିଜେପିର ଆଉ ଚିନ୍ତା ରହିବ ନାହିଁ । ଆଉ କଂଗ୍ରେସ ମୁକ୍ତ ଭାରତ ମିଶନରେ ଆଉ ପାଦେ ଆଗେଇବ ଭାରତୀୟ ଜନତା ପାର୍ଟି । ବାଃ ବାଃ ରେ ଭାରତୀୟ ପଲିଟିକ୍ସ । ଯେଉଁଠି ନିର୍ବାଚନ ପରେ ମଧ୍ୟ ଜନମତକୁ ନେଇ ଘୋଡ଼ା ବେପାର ହୋଇପାରୁଛି । …