ପିଜି ନାମଲେଖା ପାଇଁ ବଢିଲା ସମୟ ସୀମା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :  ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ୍ସ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ରୁ ୧୯ ଯାଏ ଏହି ପରୀକ୍ଷା ହେବ । ଏହାସହ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । ଅଗଷ୍ଟ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧୦ ଯାଏଁ ଅନଲାଇନ ଆବେଦନ ହେବ । ଏହାପରେ ନଭେମ୍ବର ୭ରେ ରାଜ୍ୟସ୍ତରୀୟ ମେଧା ତାଲିକା ପ୍ରକାଶ ପାଇବ ।ନଭେମ୍ବର ୩୦ ସୁଦ୍ଧା ପିଜି ନାମଲେଖା ପ୍ରକ୍ରିୟା ସରିବ ଓ ଡିସେମ୍ବର ୩ରୁ ପାଠପଢ଼ା ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଗଷ୍ଟ ୧୨ରୁ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟାକୁ ସେପ୍ଟେମ୍ବର ୧୦, ରାତି ୧୧.୪୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ପୂର୍ବରୁ ଆବେଦନର ‌ଶେଷ ତାରିଖ ଅଗଷ୍ଟ ୩୧ ଥିଲା। ପୂର୍ବରୁ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବା ତାରିଖ  ସେପ୍ଟେମ୍ବର ୨୦ ଥିବା ବେଳେ ଏବେ ଏହାକୁ ସେପ୍ଟେମ୍ବର ୩୦ କରାଯାଇଛି।  ସେପ୍ଟେମ୍ବର ୩୦ରେ ଆବେଦନକାରୀ ସେଠାରୁ ହଲ୍‌ ଟିକେଟ୍‌ ଡାଉନ୍‌ଲୋଡ୍‌ କରି‌ପାରିବେ। ଅକ୍ଟୋବର ୧୦ରୁ ଅକ୍ଟୋବର ୧୯ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୨୨, ରାତି ୧୧.୪୫ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ବବିଦ୍ୟାଳୟ ଓ କଲେଜ ନଭେମ୍ବର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ୩ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଏ ନେଇ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସୁପ୍ରିମ କୋର୍ଟଙ୍କ ରାୟର ସବିଶେଷ ବିବରଣୀ ପାଇବା ପରେ ଆମେ ଆବଶ୍ୟକ ଅନୁସାରେ ପଦକ୍ଷେପ ନେବୁ। 

Leave a Reply

Your email address will not be published.