ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର୍ ଭାରତୀୟଙ୍କ ପାଇଁ ବିକଶିତ କରିଥିବା କୋଭିଡ୍-୧୯ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି । କମ୍ପାନୀ ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କୁ ଅନୁମତି ପ୍ରଦାନ ପାଇଁ ଆବେଦନ କରିଛି । ଟିକାକୁ ବ୍ରିଟେନ୍ ଓ ବାହାରିନରେ ଅନୁମତି ମିଳିବା ପରେ କମ୍ପାନୀ ଭାରତ ସରକାରଙ୍କୁ ମଧ୍ୟ ଅନୁମତି ପାଇଁ ଅନୁରୋଧ କରିଛି ।
ସୂତ୍ରାନୁସାରେ, କମ୍ପାନୀ ନିଜ ଆବେଦନରେ କହିଛି ଯେ, ଟିକାକୁ ଜରୁରୀକାଳିନ ପ୍ରୟୋଗ ପାଇଁ ମଞ୍ଜୁରି ଦିଆଯାଉ । ଏହାସହ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ-୨୦୧୯ର ସ୍ୱତନ୍ତ୍ର ପ୍ରାବଧାନ ଆଧାରରେ ଭାରତର ଜନସଂଖ୍ୟା ଉପରେ କ୍ଲିନିକାଲ ପରୀକ୍ଷଣରେ ରିହାତି ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।
ଆଉ ଏକ ସୂତ୍ରାନୁସାରେ, ଫାଇଜର ଇଣ୍ଡିଆ ଭାରତରେ କୋଭିଡ-୧୯ ଭାକସିନ ପ୍ରୟୋଗକୁ ମଞ୍ଜୁରୀ ପ୍ରଦାନ ପାଇଁ ଡିସେମ୍ବରରେ ଡିଜିସିଆଇ ସମ୍ମୁଖରେ ଆବେଦନ କରିଛି । ବ୍ରିଟେନ ବୁଧବାର ଫାଇଜରକୁ ଭାକସିନର ଉପଯୋଗ ପାଇଁ ଅସ୍ଥାୟୀ ମଞ୍ଜୁରୀ ପ୍ରଦାନ କରିଥିଲା । ବ୍ରିଟେନ ପରେ ବାହାରିନ୍ ମଧ୍ୟ ଶୁକ୍ରବାର ଫାଇଜରକୁ ଅନୁମତି ପ୍ରଦାନ କରିଥିଲା । ଏହାପରେ କମ୍ପାନୀ ଓ ଏହାର ସହଯୋଗୀ ବାୟୋଏନଟେକ୍ ଦ୍ୱାରା ବିକଶିତ ଭାକସିନକୁ ଭାରତରେ ପ୍ରୟୋଗ ପାଇଁ ଆବେଦନ କରିଛି । କମ୍ପାନୀ ଆମେରିକାରେ ମଧ୍ୟ ଅନୁମତି ପାଇଁ ଆବେଦନ କରିଛି ।