ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ବୁଧବାର ଏହା ସ୍ଥିର ଥିଲା। ହେଲେ ଆଜି ଏହା ପୁଣି ବଢ଼ିଛି। ଲିଟର ପ୍ରତି ପେଟ୍ରୋଲ ୨୪ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି ପାଇଛି। ମଙ୍ଗଳବାର ପେଟ୍ରୋଲ ଲିଟର ପ୍ରତି ୨୩ ପଇସା ଓ ଡିଜେଲ ୨୭ ପଇସା ବୃଦ୍ଧି ପାଇଥିଲା।
ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଦର ପ୍ରତି ଲିଟରକୁ ୯୩ ଟଙ୍କା ୬୮ ପଇସା ହୋଇଥିବା ବେଳେ ଡିଜେଲ ୮୪ ଟଙ୍କା ୬୧ ପଇସା ହୋଇଛି। ସେହିପରି ଲିଟର ପ୍ରତି ପେଟ୍ରୋଲ ଦିର ୯୯ ଟଙ୍କା ୯୪ ପଇସା ଡିଜେଲ ୯୧ ଟଙ୍କା ୮୭ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୩ ଟଙ୍କା ୭୨ ପଇସା ଓ ଡିଜେଲ ୮୭ ଟଙ୍କା ୪୬ ପଇସା, ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି ୯୫ ଟଙ୍କା ୨୮ ପଇସା ଓ ଡିଜେଲ ୮୯ ଟଙ୍କା ୩୯ ପଇସା ରହିଛି। ଭୋପାଳରେ ପେଟ୍ରୋଲ ୧୦୦ ଟଙ୍କା ପାର୍ କରିଛି। ମଧ୍ୟପ୍ରଦେଶର ଭୋପାଳରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କା ୭୭ ପଇସା ରହିଛି।
ନିର୍ବାଚନ ପର ଠାରୁ ଲଗାତାର ଭାବେ ବୃଦ୍ଧି ପାଉଛି ତୈଳ ଦର। ଫେୃବୟାରୀ ୨୬ ରେ ନିର୍ବାଚନ କମିସନ୍ ପାଞ୍ଚ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଆଉ ତା’ପର ଠାରୁ ମେ ୨ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା ବରଂ ଏହି ସମୟ ମଧ୍ୟରେ ପେଟ୍ରୋଲ ଦରରେ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ ମେ ୨ ରେ ନିର୍ବାଚନ ଫଳାଫଳ ଆସିବା ପରଠାରୁ ତଥା ମେ ୪ ତାରିଖରୁ ଲଗାତାର ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି।