ଲଗାତାର ୧୩ ଦିନରେ ତୈଳଦରରେ ବୃଦ୍ଧି, ଲିଟର ପିଛା ୮୦ ଟଙ୍କା ଛୁଇଁଲା
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ କ୍ରମାଗତ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଶୁକ୍ରବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇଛି।
ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିର୍ଘ ୮୨ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ବିଗତ ୧୩ ଦିନ ହେବ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଯାହା ବର୍ତ୍ତମାନର କରୋନା ସ୍ଥିତିରେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଫଳରେ ଏହି ଦର ବୃଦ୍ଧି ଘଟିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୮। ୩୭ରେ ପହଞ୍ଚି ଥିବା ବେଳେ ଡିଜେଲ ଦର ଲିଟର ପିଛା ୭୭। ୦୬ ଟଙ୍କା ରହିଛି।
ସେହିପରି ମୁମ୍ବାଇରେ ପେଟ୍ରୋଲ ୮୫। ୨୧ ଟଙ୍କାରେ ବିକ୍ରି ହେଉଥିବା ବେଳେ କୋଲକାତାରେ ୮୦। ୧୩ ଓ ଚେନ୍ନାଇରେ ୮୧। ୨୨ ଟଙ୍କାରେ ପେଟ୍ରୋଲ ଦର ରହିଛି। ଡିଜେଲ ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି।
ମୁମ୍ବାଇରେ ଡିଜେଲ ଲିଟର ପିଛା ୭୫। ୫୩ ଟଙ୍କା ରହିଥିବା ବେଳେ କୋଲକାତାରେ ୭୨। ୫୩ ଓ ଚେନ୍ନାଇରେ ୭୪। ୭୭ ଟଙ୍କା ରହିଛି।
ସୂଚନାଯୋଗ୍ୟ ଲକଡାଉନ ପାଇଁ କେନ୍ଦ୍ର ସରକାର ୮୨ ଦିନ ପାଇଁ ତୈଳଦରରେ କୌଣସି ପରିବର୍ତ୍ତନ କରିନଥିଲେ। ସେପଟେ ବିଦେଶୀ ମୁଦ୍ରାର ଦର ଓ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ବା ଅଶୋଧିତ ତୈଳଦରରେ ଦୈନନ୍ଦିନ ପରିବର୍ତ୍ତନ ଘଟିଥାଏ। ଫଳରେ ଏହାକୁ ଆଧାର କରି ଇଣ୍ଡିଆନ ଅଏଲ , ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟ ଭଳି ତୈଳ ବ୍ୟବସାୟକାରୀ ସଂସ୍ଥା ଗୁଡ଼ିକ ପ୍ରତିଦିନ ସକାଳ ପ୍ରାୟ ୬ଟାରେ ନୂତନ ତୈଳଦର ସମ୍ପର୍କରେ ଘୋଷଣା କରିଥାନ୍ତି।