ହୋମ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ,୫ ଘଣ୍ଟା ପଡି ରହିଲା ମୃତ ଦେହ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବାରିପଦା, ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ଅଞ୍ଚଳର ଜଣେ ବ୍ୟକ୍ତି ସୁରତରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଦୀର୍ଘ ୫ ଘଣ୍ଟା କାଳ ଶବ ଘର ଦୂଆର ମୁହିଁରେ ପଡି ରହିଛି । କୋରୋନା ଭୟରେ ଗ୍ରାମବାସୀ ଶବ ସତ୍କାର ପାଇଁ କରିବା ପାଇଁ ରାଜି ହେଉନାହାଁନ୍ତି ।
ଘଟଣାନୁଯାୟୀ, ବେତନଟୀ ବ୍ଲକ ନହଣ୍ଡାଶୋଳ ପଞ୍ଚାୟତ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁଜୁରାଟର ଉଚ୍ଚିମଣ୍ଡଳରେ କାମ କରୁଥିଲେ । ଗତ ୧୭ ତାରିଖରେ ବେତନଟୀ ପହଞ୍ଚି ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିଲେ । ୭ ଦିନ ପରେ ଗତ ୨୪ ତାରିଖରେ ନିଜ ଗ୍ରାମ ତାରାଶୋଳରେ ଘରେ ସଂଗରୋଧରେ ରହିଥିଲେ । ନିଜ ଘର ସାମ୍ନାରେ ଏକ ଖଟରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉ ନଥିବା ବେଳେ ଆଜି ସେ ଅଣନିସ୍ୱାସୀ ଅନୁଭବ କରିଥିଲେ । ଫଳରେ ଘର ବାହାରକୁ ଆସି ଖଟିଆରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।