ପୁରାଦମ୍ରେ ଚାଲିବ ଯାତ୍ରୀବାହୀ ବସ୍, ରାଜ୍ୟ ସରକାର ଉଠାଇଲେ କଟକଣା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ବାବଦରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। ଏଣିକି ବସ୍ଗୁଡ଼ିକ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଯେକୌଣସି ସ୍ଥାନକୁ ଯା’ ଆସ କରିପାରିବେ। ସୋମବାରଠାରୁ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ଶ୍ରୀ ଜେନା କହିଛନ୍ତି, ଯଦି କୌଣସି ବସ୍ ଚାଳକ ନିର୍ଦ୍ଧାରିତ ସିଟ୍ଠୁ ଅଧିକ ସଂଖ୍ୟାରେ ଯାତ୍ରୀଙ୍କୁ ଉଠାଇଥିବା ଜଣାପଡ଼େ ତେବେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ନିୟମ ଏବଂ ପରିବହନ ଆଇନ ଅନୁସାରେ ସମ୍ପୃକ୍ତ ବସ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଯଦିଓ ବସ୍ ଚଳାଚଳକୁ ଲକ୍ଡାଉନ୍-୩ରୁ ସବୁଜ ସଙ୍କେତ ଦିଆଯାଇଛି କିନ୍ତୁ ତାହା ରେଡ୍ ଜୋନ୍କୁ ଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା। ଏପରିକି ବସ୍ଗୁଡ଼ିକ ଅଧା କ୍ଷମତାରେ ଯା ଆସ କରିବାକୁ ଅନୁମତି ଦିଆଯାଇଥିଲା। ଏଥିରେ ରାଜ୍ୟର ଘରୋଇ ବସ୍ ମାଲିକମାନେ ଅମଙ୍ଗ ହୋଇଥିଲେ। ବାରମ୍ବାର ଆଲୋଚନା ଚାଲିଥିଲା। ଏବେ ସରକାର ସୋମବାରଠାରୁ ଏହି କଟକଣାକୁ ଉଠାଇବା ଘୋଷଣା କରିଛନ୍ତି। ଫଳରେ ଏବେ ଯାତ୍ରୀଙ୍କ ଯା’ ଆସ ଉପରେ କିଛି କଟକଣା ରହିବ ନାହିଁ।
ସେହିପରି ତିନିଚକିଆ ଯାନ ଅର୍ଥାତ୍ ଅଟୋ ରିକ୍ସା ଚଳାଚଳକୁ ସରକାର ଖୋଲିଛନ୍ତି। ଡ୍ରାଇଭରଙ୍କ ସମେତ ସେହି ଗାଡ଼ିରେ ୩ଜଣ ବସି ଯାତ୍ରା କରିପାରିବେ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।
ଯାତ୍ରୀ ମାନଙ୍କୁ ଅନୁରୋଧ କରି ଶ୍ରୀ ଜେନା କହିଛନ୍ତି ଯେ, କଟକଣା କୋହଳ କରାଗଲେ ମଧ୍ୟ ଯାତ୍ରୀମାନେ ସଂକ୍ରମିତ ନହେବା ଲାଗି ଆବଶ୍ୟକ ପ୍ରତିରୋଧ ନିୟମକୁ ପାଳନ କରିବା ଉଚିତ । ମୁହଁରେ ମାସ୍କ ଏହି ଯାତ୍ରା ସମୟରେ ବାଧ୍ୟତାମୂଳକ କରାଯାଇଥିବା ସେ କହିଛନ୍ତି। ପୁଣି ହାତକୁ ବାରମ୍ବାର ସାନିଟାଇଜ୍ କରିବା ଲାଗି ସାଙ୍ଗରେ ହ୍ୟାଣ୍ଡ ସାନିଟାଇଜର ଧରି ବୁଲିବାକୁ ଶ୍ରୀ ଜେନା କହିଛନ୍ତି।
ସୋମବାରଠୁ ଦେଶରେ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ଟ୍ରେନ୍ ଚଳାଚଳ ମଧ୍ୟ ବ୍ୟାପକ କରାଯାଇଛି। ଆଗକୁ ଏହି ସେବା ସ୍ଵଭାବିକ ହେବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଛନ୍ତି।