କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୭୪ ବର୍ଷ ବୟସରେ ସେ ନିଶ୍ବାସ ତ୍ୟାଗ କରିଛନ୍ତି। ଏ ସଂପର୍କରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ୧୯୪୬ ମସିହା ଜୁଲାଇ ୫ ତାରିଖରେ ବିହାରର ଖଗରିଆ ଜିଲ୍ଲା ଶାହାରବନ୍ନିରେ ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।
ବିହାରର ଏହି ରାଜନେତା ୮ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି। ସଂଯୁକ୍ତ ସମାଜବାଦୀ ପାର୍ଟିରୁ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୯ରେ ବିଧାୟକ ଭାବେ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଲୋକ ଦଳରେ ଯୋଗ ଦେଇଥିଲେ ଏବଂ ୧୯୭୪ରେ ସେ ଏହାର ସାଧାରଣ ସଂପାଦକ ଥିଲେ। ଦେଶରେ ଜରୁରୀ ପରିସ୍ଥିତି ଜାରିକୁ ବିରୋଧ କରି ଗିରଫ ହୋଇଥିଲେ। ୧୯୭୭ରେ ଜନତା ପାର୍ଟି ଟିକଟରେ ସେ ହାଜିପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
୨୦୦୪ରେ ୟୁପିଏରେ ଯୋଗଦେଇଥିଲେ। ଉପା ସରକାରରେ ସେ ରସାୟନ ଓ ସାର ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୦୯ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ। ତେବେ ୨୦୧୦-୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥାଇ ୨୦୧୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।