କୃଷି ଆଇନକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ୩ ଥର ଗୃହ ମୁଲବୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ବିରୋଧୀ ଦଳମାନେ ମଙ୍ଗଳବାର ସଂସଦରେ ଜୋରଦାର ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହ କାର୍ଯ୍ୟ ପରିଚାଳନାରେ ବାଧା ଉପୁଜିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ବିରୋଧୀ ଦଳ ଆଇନ ପ୍ରତ୍ୟାହାର ଦାବିରେ ଦିନ ତମାମ ଅଡି ରହିଥିଲା। ଫଳରେ ଦିନରେ ଦୁଇଥର ଓ ଅପରାହ୍ନରେ ଥରେ ଏହିପରି ଗୃହ ୩ ଥର ମୁଲତବୀ ହେବା ପରେ ବାଚସ୍ପତି ଦିନକ ଲାଗି ଗୃହକୁ ମୁଲତବୀ କରିଛନ୍ତି।

ସନ୍ଦ୍ୟାରେ ଗୃହ କାର୍ଯ୍ୟ ଆରମ୍ଭରେ ପଶ୍ଚିମବଙ୍ଗ ବିଜେପି ସାଂସଦ ଲୋକେଟ ଚାଟାର୍ଜୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଲାଗି ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହା ସହ ଗୃହରେ ବିରୋଧୀ ଦଳଙ୍କ ହୋ ହଲ୍ଲା ଆରମ୍ଭ ହୋଇଥିଲା। ପ୍ରହ୍ଲାଦ ପଟେଲ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗ ଚର୍ଚ୍ଚାରେ ହଟ୍ଟଗୋଳ ଗୃହର ପରମ୍ପରା ନୁହେଁ ବୋଲି କହିଥିଲେ। ହେଲେବି ସଂସଦ ଆୟତ୍ତ ହୋଇ ନଥିଲା। ବାଚସ୍ପତି ଓମ ବିରଲା ମଧ୍ୟ ସଦସ୍ୟଙ୍କୁ ନିଜନିଜ ସ୍ଥାନକୁ ଯିବାକୁ କହିଥିଲେ। ହେଲେ କେହି ତାଙ୍କ କଥା ନ ଶୁଣିବାରୁ ଶେଷରେ ବାଚସ୍ପତି ଦିନକ ଲାଗି ଗୃହ ମୁଲତବୀ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଅପରାହ୍ନ ୫ଟାରେ କେନ୍ଦ୍ର କୃଷିମନ୍ତ୍ରୀ ପ୍ରସଙ୍ଗରେ ସଂସଦକୁ ଆଶ୍ୱସ୍ତ କରିବାକୁ ଚାହିଁଥିଲେ। ସରକାର ଗୃହରେ ଓ ଗୃହ ବାହାରେ ଆଇନକୁ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ହେଲେ ବିରୋଧୀ ଦଳ ତାଙ୍କ କଥା ଶୁଣି ନଥିଲେ। ଏଣୁ ହୋ ହଲ୍ଲା ମଧ୍ୟରେ ସଂସଦ କାର୍ଯ୍ୟ ହୋଇ ନ ପାରିବାରୁ ବାଚସ୍ପତି ଗୃହକୁ କିଛି ସମୟ ଲାଗି ମୁଲତବୀ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *