ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ, ସବୁ ସାଂସଦଙ୍କୁ ନେବାକୁ ହେବ ଟିକା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ମଙ୍ଗଳବାର ଏହି ସୂଚନା ମିଳିଛି। ସୂତ୍ରାନୁସାରେ ପାଖାପଖି ଏକମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ଅନୁନ୍ୟ ୨୦ଟି ବୈଠକ ହେବ। ସଂସଦର ଏହି ଅଧିବେସନ ପ୍ରାୟତଃ ଜୁଲାଇ ତୃତୀୟ ସପ୍ତାହ ବେଳକୁ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପାଖାପାଖି ଶେଷ ହୁଏ। ଏଣୁ ସଂସଦୀୟ ବ୍ୟାପାର ସମ୍ପର୍କିତ ମନ୍ତ୍ରୀମଣ୍ଡଳ କମିଟି ଆଗାମୀ ସଂସଦ ସତ୍ର ଲାଗି ସୁପାରିଶ କରିଥିବା ଜଣାପଡିଛି।
ତେବେ ସଂସଦ ଅଧିବେଶନରେ କୋଭିଡ-୧୯ ସମ୍ପର୍କିତ ସମସ୍ତ ପ୍ରୋଟକଲର କଡ଼ାକଡ଼ି ପାଳନ ହେବ ବୋଲି କୁହାଯାଇଛି। ଏଥିରୁ ସଂସଦ ଅଧିବେଶନ ଆରମ୍ଭ ବେଳକୁ ଭବନ ପରିସରକୁ ପ୍ରବେଶ କରିବାକୁ ଥିବା ସମସ୍ତ ମନ୍ତ୍ରୀ, ସାଂସଦ ଓ ଅଧିକାରୀ, କର୍ମଚାରୀ ଟିକାର ଅନୁନ୍ୟ ଗୋଟିଏ ଗୋଟିଏ ଡୋଜ ନେଇ ସାରିଥିବେ ବୋଲି ଆଶା କରାଯାଉଛି। ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରକୋପ କ୍ରମଶଃ ଥମି ଆସୁଥିବା ପରି ଲାଗୁଛି। ପ୍ରାୟ ୧୦୨ ଦିନ ପରେ ଏବେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାରରୁ କମ୍ ହେଉଥିବା ଦେଖାଯାଉଛି।
ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ପ୍ରାୟ ୭୭ ଦିନ ପରେ କରୋନା ମୃତ୍ୟୁ ସଂଖ୍ୟା ଦେଶରେ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୯୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସଂକ୍ରମଣ ଯୋଗୁ ମୃତ୍ୟୁର ଏହା ସର୍ବନିମ୍ନ ସଂଖ୍ୟା ବୋଲି କୁହାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୩୨.୯୦ କୋଟି ଲୋକଙ୍କ କରୋନା ଟିକାକରଣ ହୋଇସାରିଲାଣି।











