ପରମବୀରଙ୍କ ଆବେଦନ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ମୁମ୍ବାଇ, (ଓଡିଶା ଟାଇମ୍) : ମୁମ୍ବାଇ ପୂର୍ବତନ ପୁଲିସ କମିସନର ପରମବୀର ସିଂହ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ସଞ୍ଜୟ କିଷନ କୌଲ ଓ ଆର ସୁଭାଷ ରେଡ୍ଡିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ପରମବୀରଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହିତ ଏ ସମ୍ପର୍କରେ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପରମବୀର ଯେଉଁ ଅଭିଯୋଗ ଉଠାଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆବେଦନ ଅଗ୍ରାହ୍ୟ ପରେ ପରମବୀରଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗି ପିଟିସନକୁ ପ୍ରତ୍ୟାହାର କରିନେଇଛନ୍ତି।

ଏ ପ୍ରସଙ୍ଗରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ମାମଲା ଉପରେ ଗୁରୁବାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଛନ୍ତି। ପରମବୀର ତାଙ୍କ ଆବେଦନରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହା ସହିତ ତାଙ୍କ ବଦଳି ନିର୍ଦେଶକୁ ଖାରଜ କରିବାକୁ ନିବେଦନ କରିଛନ୍ତି। ପରମବୀର ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ଦେଶମୁଖ ଗିରଫ ପୁଲିସ ଅଧିକାରୀ ସଚିନ ବାଜେଙ୍କ ମାଧ୍ୟମରେ ମୁମ୍ବଇରୁ ଚାନ୍ଦା ଆଦାୟ କରୁଥିଲେ। ମୁମ୍ବଇ ସହରରୁ ମାସିକ ୧୦୦କୋଟି ଟଙ୍କା ଚାନ୍ଦା ଆଦାୟ ଲାଗି ସଚିନ ବାଜେଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହା ସହିତ ମହାରାଷ୍ଟ୍ର ପୁଲିସ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳିରେ ମନ୍ତ୍ରୀ ଦେଶମୁଖ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *