ବଢ଼ିଲା ପଞ୍ଚାୟତ ପ୍ରତିନିଧିଙ୍କ ୨୫ ପ୍ରତିଶତ ଦରମା: ଏପ୍ରିଲ ପହିଲାରୁ ଲାଗୁ
ଭୁବନେଶ୍ବର , (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି ସରକାର । ପଞ୍ଚାୟତ ପ୍ରତିନିଧିଙ୍କ ପାରିଶ୍ରମିକ ବଢାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଣିକି ୧୮୮୦ ଟଙ୍କା ପରିବର୍ତ୍ତେ ୨୩୫୦ ଟଙ୍କା ପାଇବେ ସରପଞ୍ଚ । ଏପ୍ରିଲ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ପାରିଶ୍ରମିକ ରାଶି। ଗତ ଏପ୍ରିଲ ପହିଲାରୁ ପିଛିଲା ଭାବେ ସେମାନେ ଏ ଦରମା ପାଇବେ ବୋଲି ପଞ୍ଚାୟତିରାଜ ବିଭାଗ ବିଜ୍ଞପ୍ତି ଜାରି କରିଛି ।
ସରକାରୀ ନିଷ୍ପତ୍ତି ଅନୁସାରେ ପଞ୍ଚାୟତ ସରପଞ୍ଚମାନେ ପୂର୍ବରୁ ପାରିଶ୍ରମିକ (ଦରମା) ବାବଦକୁ ୧୮୮୦ ଟଙ୍କା ପାଉଥିଲେ । ଏହା ୨୩୫୦ ଟଙ୍କାକୁ ବଢ଼ିଛି । ସେହିଭଳି ନାଏବ ସରପଞ୍ଚମାନେ ୭୫୦ ଟଙ୍କା ବଦଳରେ ଏଣିକି ୯୪୦ ଟଙ୍କା ପାଇବେ । ପଞ୍ଚାୟତ ସମିତି ସଦସ୍ୟ ଓ ବ୍ଲକ ଉପାଧ୍ୟକ୍ଷ ଏଣିକି ୧୮୮୦ ଟଙ୍କା ବଦଳରେ ୨୩୫୦ ଟଙ୍କା ମାସିକ ପାଇବେ । ବ୍ଲକ ଅଧ୍ୟକ୍ଷଙ୍କ ଦରମା ୨୮୨୦ ଟଙ୍କାରୁ ବୃଦ୍ଧି ପାଇ ୩୫୩୦ ଟଙ୍କା ହୋଇଛି । ଜିଲ୍ଲା ପରିଷଦ ସଭ୍ୟମାନଙ୍କ ଦରମାରେ ମଧ୍ୟ ବୃଦ୍ଧି ଆଣିଛନ୍ତି ସରକାର । ସେମାନେ ଏବେ ୨୮୨୦ ଟଙ୍କା ପାଉଥିଲା ବେଳେ ବର୍ଦ୍ଧିତ ହାରରେ ପାଇବେ ୩୫୩୦ ଟଙ୍କା । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ୫୬୩୦ ଟଙ୍କା ବଦଳରେ ପାଇବେ ୭୦୪୦ ଟଙ୍କା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏଣିକି ୯,୩୮୦ ଟଙ୍କା ପାଇବେ । ଅଧ୍ୟକ୍ଷ ଏବେ ମାସିକ ୭୫୦୦ ଟଙ୍କା ପାଉଛନ୍ତି ।
ସରକାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ ଦୈନିକ ଓ ବୈଠକ ଭତ୍ତାକୁ ଅପରିବର୍ତ୍ତିତ ରଖିଛନ୍ତି । ଦୀର୍ଘବର୍ଷ ହେବ ପଞ୍ଚାୟତିରାଜ ପ୍ରତିନିଧିମାନେ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିଲେ । ମୂଲ୍ୟ ସୂଚକାଙ୍କ ଓ ଜୀବନ ଧାରଣର ମାନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ୨୫% ବୃଦ୍ଧି କରାଯାଇଛି ବୋଲି ପଞ୍ଚାୟତିରାଜ ବିଭାଗ କହିଛି । ରାଜ୍ୟରେ ଏବେ ୩୦ ଜିଲ୍ଲାରେ ୮୫୩ ଜିଲ୍ଲା ପରିଷଦ ଥିଲା ବେଳେ, ୩୧୪ ବ୍ଲକରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ୬୭୯୮ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଅଛନ୍ତି ।