ପଞ୍ଚାୟତ ରାୟ : ୩୧୫ ଜିଲ୍ଲା ପରିଷଦ ଜୋନ୍‌ରୁ ୨୮୨ରେ ବିଜେଡି ଆଗୁଆ

ଭୁବନେଶ୍ବର, (ଓଡ଼ିଶା ଟାଇମ୍):ପଞ୍ଚାୟତ ଭୋଟ୍ ଫଳାଫଳ । ପ୍ରଥମ ଦିନରେ ଗତକାଲି ୩୧୫ ଜିଲ୍ଲା ପରିଷଦ ଜୋନ୍ ରେ ଭୋଟ୍ ଗଣତି ହୋଇଛି। ସେଥିମଧ୍ୟରୁ ୨୮୩ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି କିମ୍ବା ଆଗେଇଛନ୍ତି।  କଂଗ୍ରେସ ପ୍ରାର୍ଥୀ ୧୫ଟି ଜିଲ୍ଲା ପରିଷଦ ଜୋନରେ ଜିତିଛନ୍ତି କିମ୍ବା ଆଗେଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ୧୨ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିବା କିମ୍ବା ଆଗେଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ୨ଟି ଜୋନ ହାତେଇଛନ୍ତି। ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୩ଟି ଜୋନ ହାତେଇଛନ୍ତି।

ତେବେ କୋରାପୁଟ ପଟାଙ୍ଗି ଜୋନ୍- ୧ରେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସର୍ବଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି ଟିକାଇ ଗେମେଲ । ସେ ୩ ହଜାର ୭୦୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।  ଗଞ୍ଜାମ ଜିଲ୍ଲା ସୋରଡ଼ା ଜୋନ୍-୬୩ରେ ବିଜେଡି ବିଜୟୀ ହୋଇଛି । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି । ସେ ୧ହଜାର ୯୦୮ ଭୋଟରେ ବିଜୟୀ ହୋଇଛନ୍ତି । ସମରେନ୍ଦ୍ର ୨ହଜାର ୯୪୪ ଭୋଟ ପାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ୧ହଜାର ୩୬ ଭୋଟ୍ ପାଇଥିଲେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଜୋନ୍-୨୮ରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ପ୍ରାର୍ଥୀ ହେଙ୍ଗୁ ସାଉନ୍ତା ୫୩୩ ଭୋଟରେ ବିଜୟୀ ହୋଇଛନ୍ତି । ରାୟଗଡା ପଦ୍ମପୁର -କ ଜୋନରେ ବିଜେଡି ପ୍ରାର୍ଥୀ ଡରଗିନ୍ ଶବର ବିଜୟୀ ହୋଇଛନ୍ତି । ସେ ୧୪ ଶହ ୮୬ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ଶୋବିତା ଗମାଙ୍ଗଙ୍କୁ ପରାଜିତ କରିଛନ୍ତି ।

ସେହିପରି ଯାଜପୁର ସଦର ବ୍ଲକ ୨୯ ନମ୍ବର ଜୋନ୍ ରେ ବିଜେଡି ପ୍ରାର୍ଥୀ ପ୍ରେମାନନ୍ଦ ଜେନା ବିଜୟୀ ହୋଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ-୧ରେ ବିଜେଡି ପ୍ରାର୍ଥୀ ବିଜୟୀ ଶ୍ରାବଣୀ ଭୋଇ ୧୯୪ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ହୀରାବତୀ ପ୍ରଧାନଙ୍କୁ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଜୋନ୍ – ୧ରେ ବିଜେଡି ପ୍ରାର୍ଥୀ ପ୍ରମିଳା ମାଝୀ ବିଜୟୀ ହୋଇଛନ୍ତି । ସେ ୫ ହଜାରରୁ ଅଧିକ ଭୋଟ୍ ରେ କଂଗ୍ରେସ ପାର୍ଥୀଙ୍କୁ ହରାଇଛନ୍ତି । ରାୟଗଡା ରାମନାଗୁଡା ଜୋନ୍ -୪ ରେ କଂଗ୍ରେସ ପ୍ରାର୍ଥୀ ଟାଙ୍ଗୁଡୁ ଶ୍ରୀଧର ବିଜୟୀ । ସେ ବିଜେଡି ପ୍ରାର୍ଥୀଙ୍କୁ ୨୫୭ ଭୋଟ୍ ରେ ହରାଇଛନ୍ତି ।

Leave a Reply

Your email address will not be published.