ଜମ୍ମୁ-କଶ୍ମୀରରେ ଜି-୨୦ ସମ୍ମିଳନୀ ବିରୋଧରେ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ବିଶ୍ୱର ୨୦ଟି ଶକ୍ତିଶାଳୀ ରାଷ୍ଟ୍ରଗୋଷ୍ଠୀର ବୈଠକ ଆୟୋଜନ ଯୋଜନାକୁ ନେଇ ପାକିସ୍ତାନ ଅସନ୍ତୁଷ୍ଟ ହୋଇ ଏବେ ଏକ ବଡ଼ ଷଡ଼ଯନ୍ତ୍ର କରୁଛି । କାଶ୍ମୀରରେ ଜି-୨୦ ବୈଠକ ଆୟୋଜନ ଯୋଜନାକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ସୋମବାର ଲୁହ ଝରାଉଥିବାବେଳେ ଭାରତ ବିରୋଧରେ ବହୁମୁଖୀ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବୋଲି କହିଛି । ସେପଟେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ମଧ୍ୟ ଏହି ପୂରା ବିବାଦରେ ଡେଇଁପଡ଼ିଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଭାରତ ବିରୋଧରେ ଅଭିଯାନକୁ ଜୋରଦାର କରିବାକୁ କହିଛନ୍ତି ।
ପାକିସ୍ତାନ ଆତ୍ମଘାତୀ ଓ ଗ୍ରେନେଡ୍ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ଅନୁମାନ କରୁଛି । ଏହି ବିପଦକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରର ସମସ୍ତ ଜି-୨୦ କାର୍ଯ୍ୟକ୍ରମ ସ୍ଥଳରେ ଏନଏସଜି ମୁତୟନ କରାଯିବ । ଅଲ୍ ପାର୍ଟି ହୁରିୟତ କନଫରେନ୍ସ ନେତା ମେହମୁଦ ଅହମ୍ମଦ ସାଗରଙ୍କ ଚିଠି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ରାଷ୍ଟ୍ରପତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ କହିଛନ୍ତି । ଏହି ଚିଠିରେ ଅଲଭି ପାକିସ୍ତାନ ରାଷ୍ଟ୍ରପତିଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଥିଲେ ।
ଏମଇଆରସିଓଏସରେ ଏନଏସଜି ମୁତୟନ କଲା ଭାରତ
ବାସ୍ତବରେ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟତ ଭୟ କରୁଛି ଯେ ଯଦି କାଶ୍ମୀରରେ ଜି-୨୦ ସମ୍ମିଳନୀ ଆୟୋଜନ କରାଯାଏ ତେବେ ଏହା ତା’ର ଏବଂ ପାକିସ୍ତାନର ପ୍ରଚାରର ପର୍ଦ୍ଦାଫାସ କରିବ । ଏହା ସହିତ କାଶ୍ମୀରରେ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ପରିବେଶକୁ ବିଶ୍ୱ ଅନୁଭବ କରିବ । ଜାତିସଂଘ ଓ ଅନ୍ୟ ଆଞ୍ଚଳିକ ମଞ୍ଚରେ କାଶ୍ମୀରରେ ଭାରତର ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ପ୍ରସଙ୍ଗକୁ ପାକିସ୍ତାନ ଉଠାଇବାକୁ ହୁରିୟତ ଚାହୁଁଛି । ସେହବାଜ ସରିଫ ସରକାର ଏହି ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର ମାନବାଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପୁଣି ଥରେ ବିଷାକ୍ତ ବୟାନ ଦେଇଛନ୍ତି । ଅନ୍ତର୍ଜାତୀୟ ସମୁଦାୟ, ବିଶେଷ କରି ଜାତିସଂଘ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି । ନିଜେ ବିଶ୍ୱରୁ ଭିକ ମାଗୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ କାଶ୍ମୀରବାସୀଙ୍କୁ ସମର୍ଥନ ଜାରି ରଖିବେ । ପାକିସ୍ତାନର ଏହି ପଦକ୍ଷେପକୁ ବିଫଳ କରିବା ପାଇଁ ଭାରତ ଏନଏସଜି ସହ ମେରିନ କମାଣ୍ଡୋ ମାର୍କୋସଙ୍କୁ ମଧ୍ୟ ମୁତୟନ କରିବାକୁ ଯାଉଛି । ଏହି ସୈନିକମାନଙ୍କୁ ହ୍ରଦ ଏବଂ ଅନ୍ୟାନ୍ୟ ଜଳ ଅଞ୍ଚଳରେ ମୁତୟନ କରାଯିବ । ଜି-୨୦ ସଭାସ୍ଥଳ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।