ପଖାଳ ଖାଇଲେ ବୃଦ୍ଧି ପାଇଥାଏ ରୋଗ ପ୍ରତିରୋଧକ ଶକ୍ତି, ଫୁସଫୁସ ସଂକ୍ରମଣ ବିରୋଧରେ କାମ ଦିଏ ତୋରାଣୀ- ଏମ୍ସ ଗବେଷକ
ଭୁବନେଶ୍ବର, (ଓଡିଶା ଟାଇମ୍): ଓଡିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ପଖାଳକୁ ଓଡିଆଙ୍କ ପରିଚୟ ବୋଲି ମଧ୍ୟ କୁହାଯାଏ । ତେବେ ପଖାଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ। ପଖାଳର ତୋରାଣୀ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ସାମ୍ନାକୁ ଆସିଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଏମ୍ସର ଟିମ୍ ଜାଣିବାକୁ ପାଇଛି ଯେ, ପଖାଳରେ କମ୍ପ୍ଲେକ୍ସ କାର୍ବୋ ହାଇଡ୍ରେଟ୍ ରହିଥାଏ । ଏହାର ତୋରଣୀରେ ଫ୍ୟାଟି ଏସିଡ ଅଧିକ ମାତ୍ରାରେ ରହିଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରେ ।
ଭୁବନେଶ୍ୱର ଏମ୍ସର ପ୍ରଫେସର ବାଲାମୁରୁଗାନ୍ ରାମଦାସ ଏହି ଗବେଷଣା କରିଥିଲେ । ୨୦୧୯ରୁ ଏଦିଗରେ ଗବେଷଣା ଚାଲିଥିଲା । ଦୀର୍ଘଦିନର ପରୀକ୍ଷାନିରୀକ୍ଷା ପରେ ସେ ଜାଣିବାକୁ ପାଇଥିଲେ ଯେ, ପଖାଳରେ ଯେଉଁ ସବୁ ଭିଟାମିନ୍ ରହିଥାଏ ତାହା ଶରୀରକୁ ପ୍ରଚୁର ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ତୋରାଣୀରେ ଲାକ୍ଟୋବ୍ୟାସିଲସ୍ ବ୍ୟାକ୍ଟେରିଆ ଥିବା ଗବେଷଣାରୁ ଜଣାପଡିଥିଲା । ଏହି ଗବେଷଣା ପାଇଁ ବିଭିନ୍ନ ବ୍ୟକ୍ତିଙ୍କ ଘରୁ ପଖାଳର ପ୍ରାୟ ୨୦ଟି ନମୁନା ସଂଗ୍ରହ କରାଯାଇଥିଲା ।
ସେ ଆହୁରି ମଧ୍ୟ କହିଥିଲେ ଯେ, ତୋରାଣୀରେ ଥିବା ଏସସିଏଫଏ ଉପାଦାନ ଓ ଲାକ୍ଟୋବାସିଲସ୍ ବ୍ୟାକ୍ଟେରିଆ ବା ଜୀବାଣୁ ନିକଟରେ ରୋଗ ପ୍ରତିରୋଧୀ ଶକ୍ତି ରହିଥାଏ । ଯାହା ଶରୀର ପାଇଁ ଉପଯୋଗୀ । ତୋରାଣୀ ପିଇବା ଦ୍ୱାରା କିଛି ସଂକ୍ରମଣ ମଧ୍ୟ ଦୂର ହୁଏ । ଫୁସଫୁସରେ ହେଉତିବା ସାଧାରଣ ସଂକ୍ରମଣକୁ ତୋରାଣୀ ପ୍ରତିହତ କରିପାରିବ । ଏହାସହ ସବୁଦିନ ତୋରାଣୀ ପିଇବା ଦ୍ୱାରା ଅପପୃଷ୍ଟିର ମୁକ୍ତି ମିଳିବ ବୋଲି ପ୍ରଫେସର ବାଲାମୁରୁଗାନ୍ ରାମଦାସ କହିଛନ୍ତି ।