ପହଲଗାମ୍:କିଏ,କାହାକୁ ଲଗାଇଲା ଲଗାମ୍!
BHUBANESWAR:
1- ଇନ୍ ଆତଙ୍କବାଦୀୟୋଁ କୋ ଔର୍ ଉନକେ ଆକାଓଁ କୋ ହମ୍ ମିଟି ମେଁ ମିଲା ଦେଙ୍ଗେ: ପ୍ରଧାନମନ୍ତ୍ରୀ ମୋଦି…
2- ଇନ୍ ଆତଙ୍କବାଦିୟୋଁ କୋ ହମ୍ ଚୁନ୍ ଚୁନ୍ କେ ମାରେଙ୍ଗେ: ଗୃହମନ୍ତ୍ରୀ ଶାହ…
3- ୟେ ଦେଶ ଯୋ ଚାହତା ହୈ, ୱହି ହୋଗା: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ …
ଏପ୍ରିଲ ୨୨ ପହଲଗାମ୍ ଆକ୍ରମଣରେ ୨୬ ନିରୀହ ଭାରତୀୟଙ୍କ ମୃତ୍ୟୁ ପରେ ଏ ଥିଲା ଦେଶର ୩ ପ୍ରମୁଖ ନେତୃତ୍ବଙ୍କ ଏଭଳି ମନ୍ତବ୍ୟ । ପହଲଗାମ୍ ଘଟଣାର ପରେ ପରେ ସାମ୍ବାଦିକ ସମ୍ମିଳନୀ କରିବାକୁ ସତସାହସ ଜୁଟାଇପାରି ନଥିବା ଦେଶର ଏହି ୩ ପ୍ରମୁଖ ପ୍ରତିନିଧିଙ୍କ ମନ୍ତବ୍ୟ ଥିଲା ଏମିତି ।
ସତରେ ଏ ଦେଶ, କଣ ଚାହୁଁଥିଲା ? ଏ ଦେଶବାସୀ ଚାହୁଁଥିଲେ କଣ ? ଏ ଦେଶକୁ ମିଳିଲା କଣ ! ଦେଶବାସୀ ପାଇଲେ କଣ !
ଆତଙ୍କବାଦ ବିରୋଧରେ ଭାରତର ବିଜୟ ହୋଇଛି ତ ! ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଚାଲିଥିବା ଦେଶ ପାକିସ୍ତାନ ବିରୋଧରେ ଭାରତର ସାମରିକ ନା ନୈତିକ ବିଜୟ ହେଲା ! ଭାରତ ଇତିହାସରେ, ନୂଆ ଇତିହାସ ସୃଷ୍ଟି ହେଲାନି ତ ! କିଏ ମନାଉଛି ବିଜୟ ଉତ୍ସବ ! ଭାରତ ନା ପାକିସ୍ତାନ ! ଆମେରିକା ଦ୍ବାରା ଅସ୍ତ୍ରବିରତି ଘୋଷଣା ପରେ ପରେ ୧୦ ତାରିଖ ରାତିରେ ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସମ୍ବୋଧନ (ତାଙ୍କ ଦେଶକୁ) କଣ ବୁଝାଉଛି ? କାହିଁକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେହି ସମାନ ଶୈଳୀରେ ଦେଶକୁ ସମ୍ବୋଧନ କଲେନି !
୨୨ ତାରିଖରେ ପହଲଗାମ୍ ଆକ୍ରମଣ ବାବଦରେ ଶୁଣିବା କ୍ଷଣି ପରେ ସାଉଦି ଆରବ ଗସ୍ତ ଅଧାରୁ ବାତିଲ କରି ସ୍ବଦେଶ ଫେରି ଆସିଥିବା ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ କରିଥିଲେ ପ୍ରଥମ ବୈଠକ । କିନ୍ତୁ ତା ପରବର୍ତ୍ତୀ ସମସ୍ତ ସର୍ବଦଳୀୟ ବୈଠକରେ ଉପସ୍ଥିତ ନଥିଲେ ଦେଶର ସର୍ବୋଚ୍ଚ ନେତା ।…
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନସ ସପରିବାର ଭାରତ ଗସ୍ତରେ ଥିବା ବେଳେ ହୋଇଥିଲା ପହଲଗାମ୍ ଆକ୍ରମଣ । କିନ୍ତୁ ସ୍ବଦେଶ ଫେରି ଭାନ୍ସ କହିଲେ, ଭାରତ-ପାକ୍ ବିବାଦରେ ଆମେରିକାର ମୁଣ୍ଡ ପୂରାଇବାର ନାହିଁ । କାରଣ ଏଥିରେ ଆମେରିକାର କିଛି ଯାଏ-ଆସ ନାହିଁ । ଏହା ସେହି ଦୁଇ ଦେଶର ବ୍ୟାପାର । କିନ୍ତୁ ୧୦ ତାରିଖ ସନ୍ଧ୍ୟା ୫ଟାରେ ଆସିଲା ସବୁଠାରୁ ବଡ଼ Breaking News । ନିଜ Truth Social Handleରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆଉ ଟ୍ରମ୍ପଙ୍କ ଏହି ଘୋଷଣା ପରେ ପରେ ହଠାତ୍ ବଦଳି ଗଲା, ଗୋଦି ମିଡିଆ ବା ଗିଧ ମିଡିଆର Tone and Tenore । ଯେଉଁ ଗୋଦି Media ପାକିସ୍ତାନର କରାଚୀ ବନ୍ଦରକୁ ଉଡ଼ାଇ ଦେଇଥିଲା… ଲାହୋର୍ ଏବଂ ଇସଲାମାବଦକୁ କବଜା କରି ସାରିଥିଲା, ହଠାତ ଚିନ୍ତା କରିପାରିଲାନି, Stearing ମୋଡ଼ିବ କୁଆଡ଼େ ! ତଥାପି ବଳ କଷି ମୋଡିଲା ଏବଂ ଏବେ ବି ପ୍ରାଣମୂର୍ଚ୍ଛା ମୋଡୁଛି । ଦେଖାଯାଉ ଗାଡ଼ି କୁଆଡ଼େ ଯାଉଛି !
ପହଲଗାମ୍ ଆକ୍ରମଣକୁ ନେଇ ଭାରତ ସରକାର କିମ୍ବା ଭାରତ ସରକାରଙ୍କ କୌଣସି ଅଧିକାରୀ ମେ’ ୬ ତାରିଖ ଯାଏ ଖୋଲାଖୋଲି ଭାବେ ପାକିସ୍ତାନ ନାଁ ନେଇ ନଥିଲେ। କିନ୍ତୁ ତା ପୂର୍ବରୁ ୨ଟି ସର୍ବଦଳୀୟ ବୈଠକ ହୋଇ ସାରିଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ମେ ୭ ତାରିଖରେ ସାରା ଦେଶରେ ସୁରକ୍ଷା ସଂକ୍ରାନ୍ତ Mock Drillର ମାହୋଲ ପୂର୍ବରୁ ଭାରତ, ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରି ସାରିଥିଲା । Strategy ବହୁତ ଭଲ ଥିଲା । ପାକିସ୍ତାନ ବି ତା କଲା କର୍ମର ପ୍ରାୟଶ୍ଚିତ ପାଇବାକୁ ଏକ ରକମ ପ୍ରସ୍ତୁତ ହୋଇ ସାରିଥିଲା । ଭାରତର Agression ଦେଖି ପାକିସ୍ତାନର ସାମରିକ ବ୍ୟବସ୍ଥା ଏବଂ ସରକାର ଭୀତତ୍ରସ୍ତ ହୋଇ ପଡ଼ିଥିଲେ । କିନ୍ତୁ, ପାକିସ୍ତାନ Exercised utmost restraint । ୯ ତାରିଖ ଯାଏ ପାକିସ୍ତାନର ନା ଥିଲା ସାମରିକ ନା ଥିଲା Verbal aggression । କିନ୍ତୁ ୯ ତାରିଖ ପରେ ହଠାତ୍ ବଦଳି ଗଲା । ଚୌଧୁରୀ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପୂର୍ବରୁ ପାକିସ୍ତାନ ଫୁଲ ଦମରେ ଭାରତକୁ ଜବାବ ଦେବାକୁ ସମସ୍ତ ପଦକ୍ଷେପ ଆରମ୍ଭ କରିଥିଲା । ୧୦ ତାରିଖ ସନ୍ଧ୍ୟା ୫ଟାରେ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣାର ୩ ଘଣ୍ଟା ପର ଯାଏ, ସୀମାରେ କରିଥିଲା ଜୋରଦାର ଆକ୍ରମଣ । ତେବେ ଭାରତୀୟ ସେନାର ପରାକ୍ରମ ତାହା ଫସର ଫଟାଇ ଦେଲା । ସାବାସ୍ ଭାରତୀୟ ସେନା…
ହେଲେ, ଚୌଧୁରୀ ଟ୍ରମ୍ପ କିଏ ? ସେ କଣ ଏ ସାରା ବିଶ୍ବର ସରପଞ୍ଚ ? ଭାରତ ପାଇଁ ନିଷ୍ପତ୍ତି ନେବାକୁ ସିଏ କିଏ ? ତାଙ୍କୁ କିଏ ଦେଲା ଏ ଅଧିକାର ? କାହିଁକି ତାଙ୍କ ନିର୍ଦ୍ଦେଶକୁ ସ୍ବୀକାର କଲା ଭାରତ ?
ଯୁଦ୍ଧ କେବେ ବି କୌଣସି ସମସ୍ୟାର ସମାଧାନ ନୁହେଁ । ଟ୍ରମ୍ପଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ନିଶ୍ଚିତ, କିନ୍ତୁ ତାଙ୍କ ଆଗୁଆ ଘୋଷଣା କେବେ ବି ସ୍ବାଗତଯୋଗ୍ୟ ନୁହେଁ । ବରଂ ଏହା ଲିଖିତସ୍ତରକୁ ଯାଇ, ସର୍ତ୍ତଭିତ୍ତିକ କରାଇ, ଯଦି ପାକିସ୍ତାନ ଓ ଭାରତ ଘୋଷଣା କରିଥାନ୍ତେ, ତେବେ ଆଜି ଭାରତୀୟଙ୍କ ମଧ୍ୟରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳି ନଥାନ୍ତା ବା ଟୁପୁରୁ ଟାପୁରୁ ଶୁଣିବାକୁ ମିଳି ନଥାନ୍ତା । କିନ୍ତୁ ପହଲଗାମ୍ ଘଟଣା ପରର Aftermath ଏବଂ ଟ୍ରମ୍ପଙ୍କ ଅନଧିକୃତ ହସ୍ତକ୍ଷେପ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ବେଳେ, ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ଆମେରିକାର ସେତେବେଳର ରାଷ୍ଟ୍ରପତି ରିକାର୍ଡ ନିକ୍ସନଙ୍କ ମଧ୍ୟରେ ହୋଇଥିବା War of wordsକୁ, ଏବେ ଉଜ୍ଜୀବୀତ କରାଇ ଦେଇଛି ।
ନିର୍ବାଚନୀ Music Chairରେ ନେହରୁଙ୍କ ରେକର୍ଡ ଭାଙ୍ଗି ସାରିଥିବା ମୋଦି, କିନ୍ତୁ Iron Lady ଇନ୍ଦିରା ଗନ୍ଧିଙ୍କ War record ଭାଙ୍ଗିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇଛନ୍ତି ।
୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ଯେଉଁ ଭୂ-ଭାଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଟଣା-ଓଟରା ଲାଗି ରହିଛି, ତାହା ହେଉଛି ଜାମ୍ମୁ-କାଶ୍ମୀର । ପାକିସ୍ତାନ ଭାଗରେ ଥିବା ଅଂଶକୁ ଭାରତ, ପାକ୍ ଅଧିକୃତ କାଶ୍ମୀର ବୋଲି କହୁଛି । ଆଉ ଭାରତର ଜାମ୍ମୁ-କାଶ୍ମୀରକୁ ପାକିସ୍ତାନ, ଭାରତ ଅଧିକୃତ କାଶ୍ମୀର କହୁଛି । ଭାରତରୀୟ ନେତା ଓ ଜନତା ‘ପାକ୍ ଅଧିକୃତ କାଶ୍ମୀର’ କହୁଥିବା ବେଳେ ପାକିସ୍ତାନ ନେତା ଓ ଜନତା କିନ୍ତୁ ଅତିରିକ୍ତ ‘Illegal’ ଶବ୍ଦ ବ୍ୟବହାର କରି ଚାଲିଛନ୍ତି । ପାକ୍ ଅଧିକୃତ କାଶ୍ମୀର ଭାରତର ବୋଲି ୧୯୯୪ରେ ପାର୍ଲାମେଣ୍ଟରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ମୋଦିଙ୍କ ଜମାନାରେ ପାକ୍ ଅଧିକୃତ କାଶ୍ମୀରକୁ ଫେରାଇ ଆଣି ଅଖଣ୍ଡ ଭାରତର ସ୍ବପ୍ନ ଦେଖୁଥିବା ଭାରତବାସୀ ଏବେ, ନିଜ ପାଖରେ ଥିବା ଜାମ୍ମୁ-କାଶ୍ମୀର ଭୂ-ଭାଗକୁ ନେଇ ସନ୍ଦିହାନ ସ୍ଥିତିରେ । କାରଣ ପହଲଗାମ୍ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ସନ୍ଧିଙ୍କୁ Suspend କରିଥିବା ବେଳେ ପାକିସ୍ତାନ ମଧ୍ୟ ଶିମଲା ରାଜିନାମାକୁ Suspend କରିଛି । ଏଭଳି ସ୍ଥିତିରେ କାଶ୍ମୀର ପ୍ରସଙ୍ଗକୁ ନିଜସ୍ବ ବା ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହି ଚାଲିଥିବା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । କାରଣ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରିଥିବା ରାଷ୍ଟ୍ରପତି ଟ୍ରମ୍ପ ଏବେ କହିଲେଣି ହଜାର ବର୍ଷର କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଇବେ । କୌଣସି ନିରପେକ୍ଷ ସ୍ଥାନରେ ବସି ଏହାର ସମାଧାନ କରାଇବେ । ଟ୍ରମ୍ପଙ୍କ ଅସ୍ତ୍ରବିରତିକୁ ସ୍ବୀକାର କରିଥିବା ଭାରତର ସରକାର ଏହା କେମିତି ଗ୍ରହଣ କରିବେ, ତାହା କେବଳ ସମୟ ହିଁ ସ୍ପଷ୍ଟ କରିବ । କିନ୍ତୁ ଭାରତବାସୀ, ଏହାକୁ କେବେ ବି, କୌଣସି ହାଲତରେ ଗ୍ରହଣ କରିବେ ନାହିଁ । ୧୯୪୭ ପୂର୍ବରୁ ପାକିସ୍ତାନ ନଥିଲା… ଆଉ କାଶ୍ମୀର ମଧ୍ୟ ଏକ ପ୍ରସଙ୍ଗ ନଥିଲା । କିନ୍ତୁ ଚୌଧୁରୀ ଟ୍ରମ୍ପଙ୍କ ହଜାରେ ବର୍ଷିଆ ମନ୍ତବ୍ୟ ଅନେକ କିଛି ସ୍ପଷ୍ଟ କରି ଦେଉଛି । World Demography ଉପରେ ଚୌଧୁରୀ ସାହେବଙ୍କର ଅଗାଧ ଜ୍ଞାନକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ।
ଅସ୍ତ୍ରବିରତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ କରିଥିବା ତାଙ୍କ ତାଙ୍କ ଦ୍ବିତୀୟ ଟ୍ବିଟରେ ଭାରତ ଓ ପାକିସ୍ତାନ ସହ Trade ବା ବେପାର କଥା କହିଛନ୍ତି । କିନ୍ତୁ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା କିମ୍ବା ଦମନ କରିବାକୁ କହି ନାହାନ୍ତି । ଟ୍ରମ୍ପଙ୍କ ଦୁଇଟି ଯାକ ପ୍ରମୁଖ ଟ୍ବିଟରେ Terror, Terrorism ବା Terrorist ଶବ୍ଦ ନାହିଁ । କିନ୍ତୁ Trade ଶବ୍ଦ ଅଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେଣୁ ଏଭଳି ସ୍ଥିତିରେ ଭାରତକୁ ହିଁ ନିଜସ୍ବ ନିଷ୍ପତ୍ତି ନେବାକୁ ହେବ । କଣ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପତ୍ର ଅନୁସାରେ ମୋଦି ସରକାର ପୁଣି ଏକ ସର୍ବଦଳୀୟ ବୈଠକ ଡକାଇବେ କି ? ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଇ ପହଲଗାମ୍ ଆକ୍ରମଣର Aftermath ଓ ଟ୍ରମ୍ପଙ୍କ Ceasefire ଘୋଷଣା ଉପରେ ଆମୂଳ ଚୂଳ ଆଲୋଚନା କରିବେ କି ? ଆମ ଘର କଥାରେ ବାହାର ଲୋକ ନିଷ୍ପତ୍ତି ନେବାକୁ କିଏ, ଦୟାକରି ଭାରତର ବର୍ତ୍ତମାନର ସରକାର, ଦେଶବାସୀଙ୍କ ଆଗରେ ତାହା ସ୍ପଷ୍ଟ କରିବେ କି ?
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ପାକିସ୍ତାନକୁ ୧.୩ ବିଲିଅନ୍ ଡଲାର୍ Bailout ପ୍ୟାକେଜ୍ ମିଳିବା ପରେ ବଦଳିଗଲା ସବୁ କିଛି । IMFରୁ ପାକିସ୍ତାନକୁ Bailout ପ୍ୟାକେଜ୍ ନମିଳିବା ନେଇ ଭାରତର ସରକାର ବହୁତ ବିରୋଧ କରିଥିଲେ । ଟଙ୍କା ମିଳିଲେ, ପାକିସ୍ତାନ ତାହା ଆତଙ୍କବାଦ ସପକ୍ଷରେ ଏବଂ ଭାରତ ବିରୋଧରେ ଖର୍ଚ୍ଚ କରିବ ବୋଲି ନୂଆଦିଲ୍ଲୀ କହି ଚାଲିଥିଲା । ତଥାପି Bailout ପ୍ୟାକେଜ୍ ଦେଇ ପାକିସ୍ତାନକୁ Bailout କରିଦେଲା IMF ।
ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଗଠନ ହୋଇଥିବା ବିଶ୍ବର ଏହି ମହାନ ଆର୍ଥିକ ସଂସ୍ଥାରେ ଏବେ ୧୯୦ଟି ଦେଶ ସଦସ୍ୟ ଅଛନ୍ତି । ନିଜର ଦକ୍ଷତା ଅନୁସାରେ କୌଣସି ଦେଶ ୧ ଟ୍ରିଲିଅନ୍ ଡଲାର୍ ଯାଏ ଋଣ ପାଇପାରିବେ । କୌଣସି ଦେଶର ଋଣ ସଂକ୍ରାନ୍ତ ବିଚାର ବେଳେ ଅନ୍ୟ ଦେଶର ସଦସ୍ୟମାନେ ‘ନା’ କହିପାରିବେ ନାହିଁ । ସେମାନେ କେବଳ ଭୋଟିଂ Skip କରିପାରିବେ । ଏ କ୍ଷେତ୍ରରେ ସବୁ ଦେଶର ଭୋଟ୍ ଶେୟାର୍ ଥିବା ବେଳେ ସର୍ବାଧିକ ଶେୟାର ରହିଛି ଆମେରିକାର । ତେଣୁ ଏଭଳି ସ୍ଥିତିରେ Uncle Sham ବା ଆମେରିକାର Roleକୁ ନିରିଖେଇ ଦେଖିବାର ଆବଶ୍ୟକତା ରହିଛି । ଆଉ ଅସ୍ତ୍ରବିରତି ଘୋଷଣା ପରେ ପରେ ଚୀନର ‘Bejing stands with Islamabad’ ମନ୍ତବ୍ୟକୁ ମଧ୍ୟ ଭିତିରେଇ କି ଅନୁଶୀଳନ କରିବାର ଆବଶ୍ୟକତା ରହିଛି ।…
ପ୍ରସଙ୍ଗ ଥିଲା, ପହଲଗାମ୍ । ଉଦ୍ଦେଶ୍ୟ ଥିଲା ପହଲଗାମ୍ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବା । ଭାରତୀୟ ସେନା ତାର ଯଥେଷ୍ଟ ପରାକ୍ରମ ଦେଖାଇଲା । କିନ୍ତୁ… ଦେଶର ସାର୍ବଭୌମତ୍ବ ଓ ସୁରକ୍ଷା ପ୍ରତି ଏମିତି କାହିଁକି ହେଲା ? କାହିଁକି ପହଲଗାମ୍ ପ୍ରସଙ୍ଗ, କାଶ୍ମୀର ପ୍ରସଙ୍ଗକୁ ରୂପାନ୍ତରିତ ହେଲା ? ଏଥିପାଇଁ କିଏ ଦାୟୀ ? ଭାରତର ବିଦେଶ ନୀତି ଓ କୂଟନୀତିରେ କେଉଁଠି ତ୍ରୁଟି ରହିଗଲାନି ! ଭାରତର ବିଦେଶ ନୀତି ଓ କୂଟନୀତି, ଠିକ୍ Trackରେ ଅଛି ତ !
ଏବେ ସମୟ କେବଳ ଅନୁଶୀଳନ ଓ ଅନୁଧ୍ୟାନର…