ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବିଗତ କିଛିବର୍ଷ ହେଲା ରାଜ୍ୟରେ ପ୍ରସଙ୍ଗ ଯେତିକି ନିର୍ବାଚନ ପାଇଁ ଗୁରୁତ୍ୱ ନେଇ ନାହିଁ, ତା’ଠୁ ଅଧିକ ଗୁରୁତ୍ୱ ବହନ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ବା ଭାବମୂର୍ତ୍ତି। ତାଙ୍କରି ନାଁ ହିଁ ପ୍ରାର୍ଥୀଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି। ତା’ ନହୋଇଥିଲେ,  ସେ ଲଗାତାର ଭାବେ ନିର୍ବାଚନଗୁଡ଼ିକରେ ଅଧିକରୁ ଅଧିକ ବିଧାୟକଙ୍କ ସମର୍ଥନ ପାଉ ନଥାଆନ୍ତେ ବା ତାଙ୍କରି ଆଶୀର୍ବାଦରେ ପ୍ରାର୍ଥୀ ହେଉଥିବା ଲୋକଙ୍କୁ ନିଜ ନେତା ଭାବେ ଲୋକେ ଭୋଟ ଦେଉ ନଥାଆନ୍ତେ।

ରାଜ୍ୟରେ ରାଜନୀତିକ ପରିସ୍ଥିତିରେ ନବୀନଙ୍କ ଗୁରୁତ୍ୱ ତଥା ଲୋକଙ୍କ ଭଲପାଇବା ଏତେ ବଢ଼ିଛି ଯେ, ଏଇ ବିଧାନସଭା ଅବଧି ଭିତରେ ଅର୍ଥାତ୍‌ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଆଜି ଯାଏ ଯେତିକି ନିର୍ବାଚନ ହୋଇଛି ସେଥିରେ ବିଜେଡି ଅହେତୁକ ସଫଳତା ହାସଲ କରିଛି। ଏପରିକି ବିଜେପି କବଳରେ ଥିବା ଆସନକୁ ମଧ୍ୟ ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ନିଜ ଦଳ ପକ୍ଷକୁ ଛଡ଼ାଇ ଆଣିବାରେ ଦଳ ସକ୍ଷମ ହୋଇଛି। ହେଲେ ଏବେ କିନ୍ତୁ ଦଳ ନିର୍ବାଚନ ରଣନୀତିକାରମାନେ କିଛି ସଙ୍କୋଚ ଲକ୍ଷ୍ୟ କରିଛନ୍ତି। ଆଉ ତାହା ଜଳଜଳ ହୋଇ ରାଜ୍ୟର ଏକ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ପଦ୍ମପୁର ପାଇଁ ପ୍ରାଥୀ ଖାଜିବାବେଳେ ସ୍ପଷ୍ଟ ହୋଇଛି।

ଭାବମୂର୍ତ୍ତି ନୁହେଁ ଭାବାବେଗ ଓଜନ

ନବୀନଙ୍କ ଭାବମୂର୍ତ୍ତି କାଳେ ଆଉ ଭୋଟରଙ୍କ ପାଇଁ ଯଥେଷ୍ଟ ହୋଇନାହିଁ। ଭୋଟରଙ୍କ ମନକୁ ଆକର୍ଷଣ କରିବା ଲାଗି ଯେଉଁ ତରାଜୁ ଏବେ ଦଳବ୍ୟବହାର କରୁଛି ସେଥିରେ ନବୀନଙ୍କ ଭାବମୂର୍ତ୍ତିଠାରୁ ଅଧିକ ଓଜନ ବହନ କରୁଛି ଭାବାବେଗ, ସମ୍ବେଦନଶୀଳତା। ଏଥିରେ ପରିବାରବାଦ, ଦଳବଦଳୁ, ଆଦର୍ଶ ବା ରାଜନୀତିକ ପ୍ରତିଭାର କିଛି ବି ଗୁରୁତ୍ୱ ନାହିଁ। ବରଂ ଯାହା ଗୁରୁତ୍ୱ ନେଉଛି ତାହା ହେଲା ସେ ଆମ ଦିବଂଗତ ବିଧାୟକଙ୍କ ନିଜ ପତ୍ନୀ, ପୁଅ ବା ଝିଅ। ସେଥିଲାଗି ପଦ୍ମପୁର ପାଇଁ ପ୍ରାର୍ଥୀଚୟନ କରିବା ବେଳେ ଦଳ ଦିବଂଗତ ବିଜୟରଞ୍ଜନ ସିଂହ ବରିହାଙ୍କ ଝିଅକୁ ରାଜ୍ୟର ଅନ୍ୟଏକ ପ୍ରାନ୍ତରୁ ଖୋଜି ଦଳ ମନେଇ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।

୨୦୨୦ରେ ଭାବାବେଗଠାରୁ ନବୀନଙ୍କ ଭାବମୂର୍ତ୍ତି ଥିଲା ଓଜନିଆ 

୨୦୨୦ରେ  ରାଜ୍ୟରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ ହୋଇଥିଲା ସେଥିରୁ ଅଧିକ ଓଜନ ବହନ କରିଥିଲା ବାଲେଶ୍ୱର ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣ। ଏହି ଆସନଟି ବିଜେପି ପ୍ରାର୍ଥୀଙ୍କ କବଳରେ ଥିଲା। ସେତେବେଳେ ବିଜେପିର ମଦନ ମୋହନ ଦତ୍ତ ପ୍ରାୟ ସାଢ଼େ ୧୩ ହଜାର  ଭୋଟ୍‌ରେ ବିଜେଡିର ଜୀବନ ପ୍ରଦୀପ ଦାଶଙ୍କୁ ହରାଇଥିଲେ। ଏହା ଏକ ବିାଳ ବିଜୟ ଥିଲା। ହେଲେ ମଦନମୋହନଙ୍କ ଅକାଳ ଦେହାନ୍ତ ଯୋଗୁ ଜୁନ୍‌ ୧୭ ତାରିଖରେ ଏହି ଆସନ ନେତୃତ୍ୱଶୂନ୍ୟ ହେଲା ଆଉ ଏହାକୁ ପୂରଣ କରିବା ଲାଗି ନଭେମ୍ବରରେ ଉପନିର୍ବାଚନ ହେଲା।  ଏଥିରେ ବିଜେପି ପକ୍ଷରୁ ସମ୍ବେଦନଶୀଳତାର ଭୋଟ୍‌ ଲାଭ କରିବା ପାଇଁ ତାଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ତାହାକୁ ଲୋକ ସମର୍ଥନ କରିଲେ ନାହିଁ। ନବୀନ ବାବୁଙ୍କ ମ୍ୟାଜିକ୍‌ ସେତେବେଳେ ଏତେ ପ୍ରଭାବଶାଳୀ ହେଲା ଯେ, ସ୍ୱରୂପ କୁମାର ଦାଶ ବିଜୟ ଲାଭ କଲେ। ନବୀନଙ୍କ ଆଶୀର୍ବାଦ ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଲା।

ଖାଲି ସେତିକି ନୁହେଁ ଏବର୍ଷ ତାଙ୍କ ଦଳର ଅନ୍ୟତମ ନେତା ବିଷ୍ଣୁଚରଣ ଦାସଙ୍କ ଦେହାନ୍ତ ହେବା ଯୋଗୁ ତିର୍ତ୍ତୋଳ ଆସନ ଖାଲି ପଡ଼ିଥିଲା। ଆଉ ସେଠି ବିଜେଡି ନବୀନଙ୍କ ମ୍ୟାଜିକ୍‌ ସହ ଲୋକଙ୍କ ଭାବାବେଗକୁ ଆକର୍ଷଣ କରିଥିଲା ଏବଂ ବିଷ୍ଣୁ ଦାସଙ୍କ ପୁଅବିଜୟ ଶଙ୍କର ଦାସଙ୍କୁ ବିଧାୟକଭାବେ ପାଛୋଟି ଆଣିଥିଲେ।

ଧାମନଗର ବାଣ

ଏହାପୂର୍ବରୁ ବ୍ରଜରାଜ ନଗରରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ୨୦୨୦ରେ  ବିଜେଡି ଆସନକୁ ସୁଦୃଢ଼ ରଖିଥିଲେ। ୨୦୨୧ ମସିହାରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପିପିଲି ଆସନକୁ ବିଜେଡି ମୁଣାରେ ରଖିବାକୁ ମଧ୍ୟ ମର୍ଥ ହୋଇଥିଲେ।  ତା’ଛଡ଼ା ୧୬ତମ ବିଧାନସଭାର ପ୍ରଥମ ଉପ ନିର୍ବାଚନ ତଥା ବିଜେପୁର ଉପ ନିର୍ବାଚନରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଦ୍ୱାରା ତ୍ୟାଗ କରାଯାଇଥିବା ଆସନକୁ ବିଜେଡି ନିଜ ପାଖରେ ରଖିବାରେ ସମର୍ଥ ହୋଇଥିଲା। ହେଲେ ପ୍ରଥମଥର ଲାଗି ଧକ୍କା ଖାଇଥିଲା ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ। କାରଣ ଏହିଉପ ନିର୍ବାଚନରେ ନବୀନଙ୍କ ଯାଦୁକରୀ ବାଡ଼ି ଆଉ ଲୋକଙ୍କୁ ସମ୍ମୋହିତ କରିପାରି ନଥିଲା। ଏଠାରେ ବାପା ଛେଉଣ୍ଡ ପୁଅର ଭାବାବେଗ ଲୋକଙ୍କ ଅଧିକ ଆକର୍ଷିତ କରିଥିଲା। ବିଜେପି ପକ୍ଷରୁ ତାଙ୍କ ପ୍ରାର୍ଥୀତ୍ୱକୁ ବଳିଷ୍ଠ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସେ ବିପଦ ସମୟରେ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି ଆଉ ବିଜେଡି ଯାହାଙ୍କୁ ପ୍ରାର୍ଥୀ କରିଛି ତାହାଙ୍କ ଖାତା ଖତିୟାନ ନାହିଁ ବୋଲି ଯୁକ୍ତି କରାଯାଇଥିଲା। ଆଉ ଶେଷରେ ବିଜେଡି ମଧ୍ୟ ଏହାକୁ ସ୍ୱୀକାର କରିଥିଲା। ବିଜେପିର ଏହା ଏକ ବିସ୍ଫୋରଣ ବୋଲି ସମୀକ୍ଷକମାନେ କହିଥିଲେ। ଏହାଦ୍ୱାରା ବିଜେପି ଆଗକୁ ନିଜପାଇଁ ବାଟ ଖୋଲିଲା ବୋଲି କହିଥିଲେ। ବିଜେପିର ଏହି ବାଣ ଏବେ ବିପକ୍ଷ ବିଜେଡିକୁ ପଦ୍ମପୁରରେ ଅଡ଼ୁଆରେ ପକାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ପଛୁଆ ଆତ୍ମବିଶ୍ୱାସ

ଧାମନଗର ପରାଜୟପରେ ଯଦିଓ ଏହାକୁ ହାଲୁକା ଭାବେ ଦଳ ଉଡ଼ାଇବାକୁ ଚେଷ୍ଟା କରିଛି ଏବଂ ଏହାକୁ କ୍ଷତି ଭାବେ ଗ୍ରହଣ କରି ନାହିଁ, ହେଲେ ପଦ୍ମପୁର ଆସନ ଚାଲିଗଲେ ତାହା ବିଜେଡିକୁ  ବିଧାନସଭାରେ କ୍ଷତି ପହଞ୍ଚାଇବ। କାରଣ ଦଳର ସଂଖ୍ୟାରୁ ୧ କମିବ। ସେଥିଲାଗି ଦଳ ଭିତରେ ଟଣାଓଟରା ଚାଲିଥିବାବେଳେ ଏଥିଲାଗି କେହି ଅଣ୍ଟା ଭିଡ଼ିବା ଜଣାପଡ଼ୁନାହିଁ। ଜଣଙ୍କ ମୁଣ୍ଡରେ ଦୋଷ ଲଦିବା ଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କାରଣ ଏହାପୂର୍ବରୁ ଧାମନଗରରେ ଯେଉଁମାନେ ଅଣ୍ଟା ଭିଡ଼ିଥିଲେ ସେମାନଙ୍କ ଉପରେ କଳାଦାଗ ଲାଗି ସାରିଛି। ଏଣୁ ସଂଗଠନ ଦାୟିତ୍ୱର ମେରୁଦଣ୍ଡ ହୋଇଥିଲେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳୁନାହିଁ। ଯେଉଁ ଆଞ୍ଚଳିକବାଦ ଧାମନଗରରେ ସୃଷ୍ଟି ହୋଇଥିଲା କାଳେ ତାହା ପଦ୍ମପୁରରେ ହେବ ସେହି ଭୟ ଖାଇଛି ଦଳକୁ।  ଏଣୁ ଆତ୍ମବିଶ୍ୱାସ ପଛରେ ପଡ଼ିଛି ଆଉ ଆଗକୁ ଜଳଜଳ ଦିଶୁଛି ଭୟ।

ବିଜେପି ବୋହୂ ଉପରେ ଭରସା 

ଦିବଂଗତ ବିଜୟ ଥିଲେ ବିଜେଡିର ବିଧାୟକ। ଏଣୁ ମଣ୍ଡଳୀର ଲୋକଙ୍କଠାରୁ ତାଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ଭୋଟ୍‌ରେ ରୂପାନ୍ତର କରିବା ଲାଗି ତାଙ୍କ ଝିଅ ବର୍ଷାଙ୍କୁ ଦଳ ପ୍ରାର୍ଥୀ କରିଛି। ହେଲେ ଏ ନିଷ୍ପତ୍ତି ନେବା ଲାଗି ବିଜେଡିକୁ ଅନେକ ସମୟ ଲାଗିଛି। କାରଣ ଏଥିରେ ପାରିବାରିକ କାରଣକୁ ମିଶାଇ ଅନେକ କାରଣ ସାମିଲ୍‌ ରହିଛି। ଅର୍ଥାତ୍‌ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଚ୍ଛବି ରକ୍ଷା ପାଇଁ ଲୋକଙ୍କ ସମବେଦନାଯେ ଗୁରୁତ୍ୱପୂର୍ଣ୍ଣ ତାହାକୁ ଅନେକ ଅଙ୍କ କଷା ପରେ ବିଜେଡିସ୍ପଷ୍ଟ କରିଛି। ପୁଣି ଏ ବର୍ଷା କିଏ ଜାଣିଛନ୍ତି? ସେ ହେଉଛନ୍ତି ବିଜେପିର ବରିଷ୍ଠ ନେତା ତଥା କିଛିବର୍ଷତଳେ ବିଜେଡି ଛାଡ଼ିଥିବା ସତ୍ୟବାଦୀର ନେତା ରମାରଞ୍ଜନ ବଳିଆରସିଂହଙ୍କ  ବୋହୂ।  ଅର୍ଥାତ୍‌ ବିଜେପି ବୋହୂଙ୍କୁ ନେଇ ନିର୍ବାଚନ ବୈତରଣୀ ପାର କରିବା ତଥାନିଜର ଭାବମୂର୍ତ୍ତିକୁ ରକ୍ଷା ପାଇଁ ଚେଷ୍ଟା କରୁଛି ବିଜେଡି, ନୁହେଁକି?

 

One thought on “ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ

  1. ନିର୍ଦଳୀୟ ନେତାଙ୍କୁ ଇଂରେଜ ସାଥିରେ ନେଇ ଯାଇଛନ୍ତି।ସ୍ବାଧିନ ଭାରତରେ ସ୍ଵାଧୀନତା ନାହିଁ।

Leave a Reply

Your email address will not be published.