ଚରମ ଅବହେଳା, ଅଳିଆଗଦାରେ ଆବେଦନ ପତ୍ର

ଚିଲିକା, (ଓଡିଶା ଟାଇମ୍): ଚିଲିକା ବ୍ଲକରେ ଘଟିଛି ଆଭାବନୀୟ ଘଟଣା । ବ୍ଲକ ଅଫିସ ପଛରେ ପଡିଛି ହିତାଧିକାରୀଙ୍କ ଆବେଦନ ପତ୍ର । ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ହିତାଧିକାରୀମାନେ ଖଣ୍ଡିଏ ପକ୍କା ଘର ପାଇଁ ବ୍ଲକ ଅଫିସରେ ଆବେଦନ କରିଥିଲେ । ସେମାନେ ଏହି ଦରଖାସ୍ତକୁ ବ୍ଲକ ଅଫିସରେ ଥିବା ଏକ ବକ୍ସରେ ପକାଇଥିଲେ । ହେଲେ ଏବେ ଏହି ଆବେଦନ ପତ୍ର ଗୁଡିକ ଯାଞ୍ଚ ନ କରି ବ୍ଲକ ଅଫିସ ପଛରେ ଫିଙ୍ଗ ଦେଇଥିବାବେଳେ ଆଉ କିଛି ଆବେଦନ ପତ୍ରକୁ ପୋଡି ଦେଇଛନ୍ତି । କାରଣ ଏମାନଙ୍କୁ ପକ୍କା ଘର ଯୋଗାଇବାକୁ ବାରମ୍ଭାର ଦାବି କରିବା ପରେ ଏମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଏହାକୁ ନେଇ ବିଜେପି ସରକାରଙ୍କୁ ଘେରିଛି ।

ଜିଲା ପରିଷଦ ସଭ୍ୟ ସୁମନ୍ତ କୁମାର ପଟ୍ଟନାୟକ ଓ କୁମାଣ୍ଡଳ ସରପଞ୍ଚଙ୍କ ପ୍ରତିନିଧି ବୁଧବାର ଗଙ୍ଗାଧରପୁରଠାରେ ଥିବା ଚିଲିକା ପଞ୍ଚାୟତ ସମିତି କାର୍ୟ୍ୟାଳୟକୁ ଯାଇଥିଲେ। କାର୍ୟ୍ୟାଳୟ ପଛପଟ ପଡିଆରେ ୪୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ ଆବେଦନ ପତ୍ର ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଦେଖିଥିଲେ। ଆବେଦନପତ୍ର ଗୁଡିକ ପାଖରେ ନିଆଁ ଜଳୁଥିଲା। ତେଣୁ କାର୍ୟ୍ୟାଳୟ ପଛପଟେ ଅଦରକାରୀ କାଗଜପତ୍ର ସହ କୈାଣସି ବ୍ୟକ୍ତି ଆବେଦନ ପତ୍ରରେ ନିଆଁ ଲଗାଇ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଅନୁମାନ କରାଯାଇଛି। ଶ୍ରୀ ପଟ୍ଟନାୟକ ଏନେଇ କାର୍ୟ୍ୟାଳୟରେ ଜଣାଇବା ପରେ ଜନୈକ କର୍ମଚାରୀ ପଡିଆରୁ ଆବେଦନ ପତ୍ର ସଂଗ୍ରହ କରିଥିଲେ। ବ୍ଳକ ପ୍ରଶାସନ ହିତାଧିକାରୀଙ୍କଠାରୁ ଆବେଦନ ଗ୍ରହଣ କରୁଥିଲେ ମଧ୍ୟ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ସେଗୁଡିକୁ ଅଳିଆ ଗଦାରେ ଫୋପାଡି ଦେଉଥିବା ଅଭିଯୋଗ ହେଉଛି। ଅଧିକାରୀଙ୍କ ଏପରି କାର୍ୟ୍ୟକଳାପ ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ନିଜର ଅଧିକାରରୁ ବଞ୍ଚିତ ହେଉଛନ୍ତି।

ଆବେଦନ କରିବା ପରେ ଆବେଦନର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟକୁ ଦୈାଡି ନିରାଶ ହୋଇଥିବା ବଡକୁଳ ପଞ୍ଚାୟତ ନୂଆଗଡ ଗ୍ରାମର ବେଙ୍ଗ ଦେଈ, କାର୍ତ୍ତିକ ଗୁରୁ ଓ ବୀଣାପାଣି ପଲେଇଙ୍କ ଆବେଦନ ପତ୍ର ଅଳିଆ ଗଦାରୁ ଉଦ୍ଧାର ହେବା ପରେ ଆବେଦନପତ୍ରକୁ ଯାଞ୍ଚ ନକରି ଯେଉଁ ଅଧିକାରୀ ଏପରି ଫୋପାଡି ଦେଇଛନ୍ତି ସେ ନେଇ ତଦନ୍ତ କରାଯାଇ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତୁରନ୍ତ ଆବାସ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *