ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କୀ ନିହତ

ପୁଲଓ୍ବାମା, (ଓଡିଶା ଟାଇମ୍) : ପୁଲଓ୍ବାମା ଜମ୍ମୁକାଶ୍ମୀରରେ ଆଜି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲଓ୍ବାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡିଛି । ଏହା ପୂର୍ବରୁ ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନରେ ୧୩ ଆତଙ୍କବାଦୀ ନିପାତ ହୋଇଥିଲେ । ଜମ୍ମୁକାଶ୍ମୀରର ନୌସେରା ସେକ୍ଟରରେ ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗତ କାଲି ସୁରକ୍ଷାକର୍ମୀ ନିପାତ କରିଥିଲେ । ସେହିଭଳି ମେ’୨୮ରୁ ଅନୁପ୍ରବେଶ ପଣ୍ଡ କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଏପର୍ଯ୍ୟନ୍ତ ୪ ଦିନରେ ୧୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ମେ’ ୨୮ରେ ଆତଙ୍କବାଦୀ ଅନୁପ୍ରବେଶ ବିରୋଧରେ ଅଭିଯାନ ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ପୁଞ୍ଛ ଜିଲ୍ଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହା ପୂର୍ବରୁ ସେନାବାହିନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସୋମବାର ଦିନ ନୌସେରା ସେକ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଜମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତ-ପାକିସ୍ତାନ ସୀମାରେ ସୋମବାର ଦିନ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରିଥିଲେ । ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *