ବିଦେଶରୁ ଫେରିଲେ ମାଗଣା, ଅନ୍ତଃରାଜ୍ୟ ପାଇଁ ଭଡ଼ା କାହିଁକି?

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପୁଣି ବଢ଼ାଯାଇଛି। ତେବେ ବାହାରେ ଫସିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ଘରବାହୁଡ଼ା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବିଦେଶରୁ ଲୋକଙ୍କୁ ଫେରାଇ ଆଣିବା ପାଇଁ ମାଗଣା ହୋଇଥିବାବେଳେ ଅନ୍ତରାଜ୍ୟ କ୍ଷେତ୍ରରେ ସରକାର ଭଡ଼ା ଆଦାୟ କରୁଛନ୍ତି କାହିଁକି? ଏଭଳି ପ୍ରଶ୍ନ ଉଠାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

ସୂଚନା ଅନୁସାରେ ଶ୍ରମଜୀବୀଙ୍କ ସମେତ ଅନ୍ୟମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଗୃହ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ଶ୍ରମଜୀବୀଙ୍କ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ଟ୍ରେନ୍ ଭଡ଼ା ଆଦାୟ ନେଇ ଆଲୋଚନା ତେଜିଛି। ଏହି ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ ଟୁଇଟ୍‌ ଜରିଆରେ କଟାକ୍ଷ କରିଛନ୍ତି ଯେ- ଯଦି ଆପଣ କରୋନା ସଙ୍କଟ ବେଳେ ବିଦେଶରେ ଫସିଛନ୍ତି ତେବେ ସରକାର ଆପଣଙ୍କୁ ମାଗଣାରେ ଦେଶକୁ ଆଣିବେ କିନ୍ତୁ ଯଦି କୌଣସି ରାଜ୍ୟରେ ଶ୍ରମିକ ଫସିଛନ୍ତି ତେବେ ସେମାନଙ୍କୁ ଭଡ଼ା ଖର୍ଚ୍ଚ ମଧ୍ୟ ଦେବାକୁ ପଡୁଛି। ତେବେ ପିଏମ୍‌ କେୟାର୍ସ ଫଣ୍ଡ କୁଆଡ଼େ ଗଲା ? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନୁରୂପ ଭାବେ ଅଖିଳେଶ ଯାଦବ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ମଧ୍ୟ ଟୁଇଟ୍ ଜରିଆରେ ଶ୍ରମିକଙ୍କ ଘରବାହୁଡ଼ା ପାଇଁ ସରକାର ଭଡ଼ା ଆଦାୟ କରିବା ଖବରକୁ ନିନ୍ଦା କରିଛନ୍ତି। ପୁଞ୍ଜିପତିଙ୍କ ହଜାର ହଜାର କୋଟି ଟଙ୍କା ଋଣ ଛାଡ଼ କରୁଥିବା ବିଜେପି ସରକାର ଧନୀଙ୍କ ସହିତ ରହିଥିବାବେଳେ ଗରିବଙ୍କୁ ଶୋଷଣ କରୁଛନ୍ତି ବୋଲି ଅଖିଳେଶ ଅଭିଯୋଗ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *