୩୦ ଜିଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର, (ଓଡିଶା ଟାଇମ୍): ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟର ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ୩୦ ଜିଲାରେ କେନ୍ଦ୍ର କରାଯିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଦ୍ୟାର୍ଥୀଙ୍କ ଯାତାୟାତ ସୁବିଧା ନିମନ୍ତେ ଓଜେଇଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇ ଥିବା ଓଜେଇଇ ଅଧ୍ୟକ୍ଷ ଏସ୍‌. କେ. ଚାନ୍ଦ କହିଛନ୍ତି। ଏପ୍ରିଲ ୧୪ରୁ ଓଜେଇଇ ନିମନ୍ତେ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଦ୍ବିତୀୟ ଲହର ଆସିବା ଦ୍ବାରା ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ କରାଗଲା। ଏହି ସମୟରେ ଅନେକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରି ନ ଥିଲେ। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଜୁଲାଇ ୩୦ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି l

ଚଳିତ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ ଓଜେଇଇ ସହ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ସ୍ବତନ୍ତ୍ର ଓଜେଇଇ ପାଇଁ ମଧ୍ୟ ପଞ୍ଜୀକରଣ ଚାଲିଛି। ଗତବର୍ଷ ୨୧ ଜିଲାରେ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ୍)ପରୀକ୍ଷା ପାଇଁ କେନ୍ଦ୍ର କରାଯାଇ ଥିବାବେଳେ ଏ ବର୍ଷ ୩୦ ଜିଲାକୁ ବୃଦ୍ଧି କରାଯାଇଛି। କଲକାତା, ପାଟନା ଏବଂ ରାଞ୍ଚିରେ ଗୋଟିଏ ଲେଖାଏଁ କେନ୍ଦ୍ର କରାଯିବ। ଯେଉଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ସାରିଛନ୍ତି ସେମାନେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଓ ଆବେଦନ ପତ୍ରରେ ଥିବା ତ୍ରୁଟିକୁ ସଂଶୋଧନ କରିପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *