ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ, ୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ତେବେ ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିଭଳି ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ କଟକ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
ଆଜି ରାଜ୍ୟରେ ଆଉ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।