ଓଡ଼ିଶାକୁ ମିଳିବ ମରୁଡ଼ି ମୁକାବିଲା ପାଇଁ ୧୦୦ କୋଟି, ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ପାଇଁ ୮୦୦ କୋଟି
ଭୁବନେଶ୍ବର, (ଓଡିଶା ଟାଇମ୍) :ଓଡ଼ିିଶା ପ୍ରତିବର୍ଷ ବନ୍ୟା-ବାତ୍ୟା ଓ ମରୁଡ଼ି ଭଳି ଏକାଧିକ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରୁଥିବାରୁ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟକୁ ମରୁଡ଼ି ମୁକାବିଲା ପାଇଁ ୧୦୦ କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ଲାଗି ୮୦୦ କୋଟି ଟଙ୍କା ଅନୁଦାନ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୨୦୨୧-୨୬ ମସିହା ମଧ୍ୟରେ ଏହି ଅନୁଦାନ ରାଶି କେନ୍ଦ୍ରରୁ ପ୍ରଦାନ କରାଯିବ।
ଆଗୁଆ ବାତ୍ୟା ସୂଚନା ପ୍ରଦାନକାରୀ ବ୍ୟବସ୍ଥା ଓ ଉପକରଣ ସ୍ଥାପନ ନିମନ୍ତେ ରାଜ୍ୟ ସରକାର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ନିମନ୍ତେ ଅର୍ଥ କମିଶନଙ୍କଠାରେ ଦାବି ଉପସ୍ଥାପନ କରିଥିଲେ। କମିଶନ ଏହାକୁ ଗ୍ରହଣ କରି ୮୦୦ କୋଟି ଟଙ୍କା ଓଡ଼ିଶାକୁ ଦେବା ଲାଗି ସୁପାରିସ କରିଛନ୍ତି।
ସେହିପରି ଓଡ଼ିଶାରେ ଏପର୍ୟ୍ୟନ୍ତ ମାତ୍ର ୨୮.୯ ପ୍ରତିଶତ ଜଳସେଚନ ସୁବିଧା ହୋଇଥିବାରୁ ରାଜ୍ୟକୁ ଅଧିକାଂଶ ସମୟରେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ମରୁଡ଼ି ମୁକାବିଲା ନିମନ୍ତେ ଦୀର୍ଘକାଳୀନ ଯୋଜନା ଲାଗି ଅର୍ଥ କମିଶନ ପରାମର୍ଶ ଦେଇଛନ୍ତି। ଏଥିରେ ଅଞ୍ଚଳ ଭିତ୍ତିକ ଚାଷ ବ୍ୟବସ୍ଥାରେ, ଭୂତଳ ଜଳ ଓ ନଦୀ ଜଳର ସୁପରିଚାଳନା, ଜଳର ସଦୁପଯୋଗ, କୃଷିଭିତ୍ତିକ ବନୀକରଣ ଯୋଜନା ଓ ସୌର ଶକ୍ତି ସ୍ଥାପନ ଭଳି କାର୍ୟ୍ୟକ୍ରମକୁ ସାମିଲ କରି ମରୁଡ଼ି ପ୍ରଭାବିତ ଜିଲାମାନେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ଏଥିପାଇଁ କମିଶନ ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ୧୦୦କୋଟି ଟଙ୍କା ଲେଖାଏଁ ମୋଟ ୧୨୦୦କୋଟି ଆବଣ୍ଟନ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି। ଏହି ଅନୁଦାନକୁ ଜାତୀୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ମାଧ୍ୟମରେ ଦେବାକୁ ପରାମର୍ଶ ଦିଆଯାଇଛି।