ମଦ କଳାବଜାରୀକୁ ପରୋକ୍ଷରେ ସ୍ୱୀକୃତି

ବରେନ୍ଦ୍ର କୃଷ୍ଣ ସାହୁ

ନିଶାରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ଗୋଟିଏ ପରେ ଗୋଟେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାକୁ ବସିଲାଣି । ଅନ୍ ଲାଇନ୍ ହୋମ୍ ଡେଲିଭରିକୁ ପ୍ରଥମ ଦିନରେ ଗ୍ରହଣ କରି ନଥିବା ମଦ ଦୋକାନୀ, ପ୍ରଶାସନ ସହ ଆଲୋଚନା ପରେ ରାଜି ହୋଇଛନ୍ତି । କିନ୍ତୁ ମଦ ନିଗମ ଠାରୁ ଲାଇସେନ୍ସ ପାଇଥିବା ଜମାଟୋ ଏବଂ ସ୍ୱିଗି ଭଳି ଫୁଡ୍ ଏଗ୍ରିଗେଟର ସଂସ୍ଥାକୁ ମାଧ୍ୟମ ଭାବେ ଗ୍ରହଣ କରିବାକୁ ସଫା ସଫା ମନା କରି ଦେଇଛନ୍ତି । କେବଳ ନିଜ ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କ ଦ୍ୱାରା ହିଁ ସେମାନେ ଗ୍ରାହକଙ୍କୁ ମଦ ଯୋଗାଇ ଦେବେ ବୋଲି କହିଛନ୍ତି । ଆଉ ପ୍ରଶାସନ, ଉପସ୍ଥିତିରେ କଥା ହୋଇଛି, ମଦ ଦୋକାନୀ ଏବଂ ମଦ ନେଇ ଯାଉଥିବା କର୍ମଚାରୀଙ୍କୁ ଦରକାର ପଡ଼ିଲେ ସୁରକ୍ଷା ଦେବ ପୋଲିସ୍ । ଏପରିକି ଯଦି ଆବଶ୍ୟକ ହୁଏ, ତେବେ ଡେଲିଭରି କର୍ମଚାରୀଙ୍କ ପଛେ ପଛେ ଯିବ ପିସିଆର୍ ଭ୍ୟାନ୍ ।

କାହିଁକି, ଜମାଟୋ ଏବଂ ସ୍ୱିଗୀ ଭଳି ଜାତୀୟ ସ୍ତରରେ ପଞ୍ଜୀକୃତ ଫୁଡ୍ ଏଗ୍ରିଗେଟର ସଂସ୍ଥାକୁ ମାଧ୍ୟମ କରିବାକୁ ରାଜି ନୁହଁନ୍ତି ମଦ ଦୋକାନୀ ? ପୁଣି ସରକାରଙ୍କ ଅଧୀନରେ ଥିବା ମଦ ନିଗମ, ସେସବୁ ସଂସ୍ଥାକୁ ଲାଇସେନ୍ସ ଦେଇଥିବା ବେଳେ କାହିଁକି ଗ୍ରହଣ କରୁ ନାହାନ୍ତି ଦୋକାନୀ ? ଏହା କଣ ସୂଚାଉଛି ? ଅନ୍ ଲାଇନ୍ ସହ କାଉଁଟର୍ ବିକ୍ରି ଜିଦ୍ ରେ ଅଟଳ ଥିବା ମଦ ଦୋକାନୀଙ୍କ ଆଗରେ ଏକରକମ ମୁଣ୍ଡ ନୁଆଁଇଲେ କି ସରକାର  ?

ହଁ, ଏଠି ରହୁଛି ସର୍ଭିସ୍ ଚାର୍ଜର ଲୋଭ । ହଜାରେ ଟଙ୍କା ପର୍ଯ୍ୟନ୍ତ ଅର୍ଡର ପାଇଁ ଶହେ ଟଙ୍କା ଏବଂ ଅତିରିକ୍ତ 5 ଶହ ଟଙ୍କାର ଅର୍ଡର ପାଇଁ ଆଉ 25 ଟଙ୍କା ସର୍ଭିସ୍ ଚାର୍ଜ ଧାର୍ଯ୍ୟ କରାଯାଇଛି । ଆଉ ଅର୍ଡର 3 ଶହ ଟଙ୍କା ତଳକୁ ହେଲେ ନିଜ ଇଚ୍ଛାରେ ସର୍ଭିସ୍ ଚାର୍ଜ ଧାର୍ଯ୍ୟ କରିବେ ଦୋକାନୀ କିମ୍ବା ଫୁଡ୍ ଏଗ୍ରିଗେଟର ସଂସ୍ଥା । ତେଣୁ ଏଭଳି ସ୍ଥିତିରେ ନିଜ କର୍ମଚାରୀଙ୍କ ଦ୍ୱାରା ମଦର ହୋମ୍ ଡେଲିଭରି କରାଇ ସର୍ଭିସ୍ ଚାର୍ଜକୁ ସମ୍ପୂର୍ଣ୍ଣ ନିଜ ପକେଟରେ ରଖିବାକୁ ଚାହୁଁଛନ୍ତି ଦୋକାନୀ । ପ୍ରକୃତରେ ସର୍ଭିସ୍ ଚାର୍ଜ, ଡେଲିଭରି କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ମିଳିବା କଥା । କଟକ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମଦ ଦୋକନୀ କହୁଛନ୍ତି, ସେମାନଙ୍କ କର୍ମଚାରୀ 2 ମାସ ଧରି ବସିଥିଲେ, ତେଣୁ ସେମାନେ ହିଁ କିଛି ଅତିରିକ୍ତ ରୋଜଗାର କରନ୍ତୁ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କେତେ ଦୂର କାର୍ଯ୍ୟକାରୀ ହେବ, ତାହା ସମୟ ହିଁ କହିବ । ମଦ ଦୋକାନୀ, କର୍ମଚାରୀଙ୍କୁ ସେମାନଙ୍କ ମାସିକ ଦରମା ସହ ସମ୍ପୂର୍ଣ୍ଣ ଡେଲିଭରି ଚାର୍ଜ ଦେବା ନେଇ ପ୍ରଥମରୁ ସନ୍ଦେହ ସୃଷ୍ଟି ହେଲାଣି । ହୁଏତ ସେମାନେ ପର୍ସେଣ୍ଟେଜରେ କାମ କରିପାରନ୍ତି ।

କ୍ଷୀର, ଦହି, ଛେନା ବୁଲେଇ ବିକିବାର ଯୁଗ କେବେଠୁଁ ହଜି ଯାଇଥିବା ବେଳେ ସରକାର ଆରମ୍ଭ କରିଛନ୍ତି ମଦ ବୁଲେଇ ବିକିବାର ଯୁଗ । ଘରେ ଘରେ ଦୁଗ୍ଧ ପହଞ୍ଚାଇବାରେ ବିଫଳ ହୋଇଥିବା ସରକାର, ମଦରେ କିନ୍ତୁ ସଫଳ ହେବାକୁ ଯାଉଛନ୍ତି। ସରକାରଙ୍କ ଏହି ଯୋଜନା ଦ୍ୱାରା ରାସ୍ତା ଘାଟ ସବୁଠି ମିଳିବ ମଦ । କାରଣ ମଦ ଦୋକାନୀଙ୍କ ଠାରୁ ‘ଡେଲିଭରି ବୟ’ର ଅନୁମତି ପତ୍ରଟିଏ ପାଇଗଲେ, ଯିଏ ନାହିଁ ସିଏ ଖୋଲା ଖୋଲି ମଦ ଧରି ବୁଲିପାରିବ । କେବଳ ଫୋନରେ କିଛି SMS କିମ୍ବା ହ୍ୱାଟସ୍ ଆପରେ କିଛି ମେସେଜ୍ ଥିଲେ ହେଲା । ପୋଲିସ୍ କିମ୍ବା ଅବକାରୀ ବିଭାଗ, ସେମାନଙ୍କର କିଛି ବି ବଙ୍କା କରିପାରିବେ ନାହିଁ । ଏହା ଦ୍ୱାରା ଗାଁ ଗହଳିରେ ଚୋରାରେ ବିକ୍ରି ହେଉଥିବା ମଦକୁ ପରୋକ୍ଷରେ ଏକ ରକମ ଖୋଲାଖୋଲି ଅନୁମତି ମିଳିଗଲା । ଅନୁମତି ପାଇଥିବା ବ୍ୟକ୍ତି, ଦୋକାନରୁ ମଦ ନେଇ ଘରେ ଲୁଚାଇ ରଖି ବେପାର କରିବେ । ପୁଣି ଅନ୍ ଲାଇନ୍ କାରବାର ଜାଣି ନଥିବା ଲୋକଙ୍କ ଠାରୁ ସର୍ଭିସ୍ ଚାର୍ଜ ଠାରୁ ଅଧିକ ଅର୍ଥ ଆଦାୟ କରିବେ । ଅର୍ଥନୀତିର ଡିମାଣ୍ଡ ଆଣ୍ଡ୍ ସପ୍ଲାଏ ଚେନ୍ ଭଳି ଏଠି ଚାଲିବ, ବେପାର ଦେଖାଅ… ପର୍ସେଣ୍ଟେଜ୍ ନିଅର ଖେଳ । ଫଳରେ କଞ୍ଚା ପଇସା ପାଇବାକୁ ଅଧିକରୁ ଅଧିକ ଲୋକ ଏଥିରେ ମନ ବଳାଇବେ । ମଦ ଦୋକାନ କର୍ମଚାରୀ ହେବାକୁ ଯୁବ ପିଢ଼ିଙ୍କ ଲମ୍ବା ଲାଇନ୍ ଲାଗିବ । ତେବେ ଏହି ଯୋଜନା ଦ୍ୱାରା ପରୋକ୍ଷରେ ରାଜ୍ୟରୁ ବେକାରୀ ସମସ୍ୟା ହଟାଇ ଦେବାକୁ ଚିନ୍ତା କରିଛନ୍ତି କି ସରକାର ? ଲାଗୁଛି, ସରକାରଙ୍କ ‘ମଦ ବୁଲେଇ ବିକିବା’ର ଭିତିରି ଉଦ୍ଦେଶ୍ୟ ବୋଧେ ଏହା !

ମାସିକିଆ କୋଟା ପୂରଣ ପାଇଁ ମଦ ଦୋକାନୀଙ୍କୁ ଚୋରା ମଦ ବେପାରୀ ତିଆରି କରିବାକୁ ପଡୁଥିଲା । ଚୋରା ବେପାରୀଙ୍କୁ ମଦ ଯୋଗାଇ ସେମାନେ କୋଟା ପୂରଣ କରୁଥିଲେ । କିନ୍ତୁ ଏବେ ସହଜରେ ସେମାନେ କୋଟା ପୂରଣ ହୋଇଯିବ । ଦରକାର ପଡ଼ିଲେ ମଦ ନିଗମରୁ ସେମାନଙ୍କୁ ଅଧିକରୁ ଅଧିକ ମଦ ଉଠାଇବାକୁ ପଡ଼ିବ । ସେପଟେ ହୋମ୍ ଡେଲିଭରିରେ, କୌଣସି ପଞ୍ଜୀକୃତ ସଂସ୍ଥା ମାଧ୍ୟମ ନରହିଲେ, ନିଜ ଇଚ୍ଛାରେ କାଗଜପତ୍ର ସଜାଡ଼ି ପାରିବେ ମଦ ଦୋକାନୀ ।  

ମଦକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୋଲିସର ଆବଶ୍ୟକତା ପଡ଼େ । କିନ୍ତୁ ନୂଆ ଯୋଜନାରେ ମଦ ବିକ୍ରିରେ ଦରକାର ପଡ଼ିବ ପୋଲିସର ସହଯୋଗ । କରୋନା ଡ୍ୟୁଟି ସରିନି, ଅଧିକାଂଶ ପୋଲିସ କର୍ମଚାରୀ ଦୁଇ ମାସରୁ ଅଧିକ ହେବ, ସେମାନଙ୍କ ଘର କିମ୍ବା ପରିବାରକୁ ଦେଖି ନାହାନ୍ତି, ଏବେ ପୁଣି ମଦ ଡ୍ୟୁଟି । ଗୋଟିଏ ପଟେ ଚୋରି, ଡକାୟତି, ହତ୍ୟାକାଣ୍ଡ, ଭିଭିଆଇପି ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅତ୍ୟଧିକ ଚାପରେ ଅଛି ପୋଲିସ୍ । ପୁଣି ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର, ପୋଲିସ୍ ଉପରେ ପରୋକ୍ଷରେ ଲଦି ଦେଇଛନ୍ତି ମଦ ଦୋକାନୀ ଏବଂ ମଦ ଡେଲିଭରି ବୟଙ୍କ ସୁରକ୍ଷା । କାହିଁକି ପୋଲିସ ଉପରେ ଏତେ ଚାପ ? ସେମାନଙ୍କର ବ୍ୟକ୍ତିଗତ ଏବଂ ସାମାଜିକ ଜୀବନ କିଛି ଅଛି ନା କେବଳ 24 ଘଣ୍ଟିଆ ବୃତ୍ତିଗତ ଜୀବନ ? ମଦ ବିକ୍ରିରେ ସହଯୋଗ କରୁଥିବା ପୋଲିସ୍, କେଉଁ ନୈତିକ ଆଧାରରେ ବ୍ରିଦ୍ ଆନାଲାଇଜର୍ ଧରି ମଦୁଆଙ୍କୁ ଧରିବ ? ନୂଆବର୍ଷରେ ଏପଟେ ଲୋକଙ୍କୁ ମଦ ପିଆଇ ଦେଇ ସେପଟେ ଜରିମାନା ଆଦାୟ କଲା ଭଳି ଲକ୍ଷ୍ୟରେ ଅଛନ୍ତି କି ସରକାର ?   

ସରକାର ଗୋଟିଏ ପରେ ଗୋଟେ ନିଷ୍ପତ୍ତି ନେଉଛନ୍ତି, ପୁଣି ପରେ ଚାପରେ ପଡ଼ି ତାହା ବଦଳାଇବାକୁ ବାଧ୍ୟ ହେଉଛନ୍ତି । ଏଇ ଯେମିତି ବସ୍ ପରେ ଏବେ ମଦକୁ ନେଇ । ଅନ୍ ଲାଇନ୍ ହୋମ୍ ଡେଲିଭରି ବେପାରରେ ମଦ ଦୋକାନୀ ହିଁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ସେମାନଙ୍କ ଦାବିକୁ ଅନେକାଂଶରେ ପୂରଣ କରିନେଲେ । ଆଉ ଯଦି, ପୂର୍ବାପେକ୍ଷା ଏହି ଯୋଜନାରୁ ଅଧିକ ଫାଇଦା ମିଳିଲା, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ନିର୍ଦ୍ଦେଶ ଦେଲେ ବି ସେମାନେ ହୁଏତ କାଉଁଟର ବିକ୍ରି ପାଇଁ ରାଜି ହୋଇ ନପାରନ୍ତି । ଯାହା ମଦକୁ ରାଜ୍ୟରେ ବ୍ୟାପକ କରିବା ସହ କଳାବଜାରୀକୁ ପ୍ରୋତ୍ସାହନ ଦେଲା ଭଳି ନୁହେଁ କି  ?

   

Leave a Reply

Your email address will not be published.