ରାଜ୍ୟରୁ ଉଠିଲା କୋଭିଡ୍‌ କଟକଣା, ଆଉ ଲାଗିବନି ଜରିମାନା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ ଲଗାଯାଇଥିବା ସମସ୍ତ କଟକଣାକୁ ରାଜ୍ୟସରକାର ଉଠାଇ ନେଇଛନ୍ତି। ଏସମ୍ପର୍କରେ ବଳବତ୍ତର ଥିବା ଓଡ଼ିଶା କୋଭିଡ୍‌-୧୯ ନିୟନ୍ତ୍ରଣ ନିୟମାବଳୀ- ୨୦୨୦ କୁ ପ୍ରତ୍ୟାହାର କରାଯାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ସୂଚନା ଅନୁସାରେ ରାଜ୍ୟରେ ମାସ୍କ ପିନ୍ଧିବା, ସୋଶାଲ୍‌ ଡିଷ୍ଟାନ୍ସିଂ, ଭିଡ଼ ଜମାଇବା ଏବଂ ସାଧାରଣ ସ୍ଥାନରେ ଛେପ ପକାଇବା ନେଇ ଥିବା କଟକଣାକୁ ଉଠାଇ ନିଆଯାଇଛି। କିନ୍ତୁ ଜନସାଧାରଣଙ୍କୁ ସ୍ଵେଚ୍ଛାକୃତ ଭାବେ କୋଭିଡ୍‌ ଉପଦେଶକୁ ପାଳନ କରିବା ଲାଗି କୁହାଯାଇଛି।

ଓଡ଼ିଶା ସରକାର କୋଭିଡ୍‌ ନିୟନ୍ତ୍ରଣକୁ ଅଧିକ ଧ୍ୟାନ ଦେଇ ଏଥିଲାଗି କଠୋର ନିୟମ ଲାଗୁ କରିଥିଲେ।  ପ୍ରଥମ ଦୁଇଥର ନିୟମ ଉଲ୍ଲଙ୍ଘନ ଲାଗି ୨୦୦୦ ଟଙ୍କା ଏବଂ ଏହା ପରେ ୫ ହଜାର ଟଙ୍କାର ଜରିମାନା ପ୍ରାବଧାନ କରାଯାଇଥିଲା। ଏହା ସମଗ୍ର ଦେଶରେ ଅଧିକ ଥିଲା।  ହେଲେ ଦେଶରେ ସାର୍ବଜନୀନ ଟିକାକରଣ ହେତୁ କୋଭିଡ୍‌ ସଂକ୍ରମଣ କମିଥିଲା। ଏଣୁ ଦେଶର ବିଭିନ୍ନ ପ୍ରାନ୍ତରେ ନିୟମକୁ ଉଠାଇ ନିଆଯାଇଥିଲେ ମଧ୍ୟ ରାଜ୍ୟରୁ ଏହି ନିୟମକୁ ଉଠାଯାଇ ନଥିଲା। ଏ ସମ୍ପର୍କରେ ଏକ ରିପୋର୍ଟ ଆଜି ମଧ୍ୟାହ୍ନରେ ‘ଓଡ଼ିଶାଟାଇମ୍‌ ଡଟ୍‌କମ୍‌’ରେ ପ୍ରକାଶ କରାଯାଇଥିଲା। ଏହା ସହ ରାଜ୍ୟରେ ଥିବା ୫ ନିୟମ ଯାହା ଲୋକଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଛି ଏବଂ ଅଧିକାରୀଙ୍କ ପାଇଁ ଜୋରିମାନା ଆଦାୟର ବାହାନା ପ୍ରଦାନ କରୁଛି ସେ ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏଠାରେ ତାହାର ଏକ ଓ୍ବେବ୍‌ ଲିଙ୍କ୍‌କୁ ଆପଣଙ୍କ ପଢ଼ିବା ଲାଗି ଉପସ୍ଥାପନ କରାଯାଇଛି।

 ସହରାଞ୍ଚଳର 5 ବିକାଶୋନ୍ମୁଖୀ ନିୟମ, ହେଲେ ଆପଣଙ୍କୁ ସବୁବେଳେ ଡରାଏ, ଧମକାଏ

Leave a Reply

Your email address will not be published.