ନୂଆବର୍ଷରେ ନୂଆ ମୁଖିଆ: ବଦଳିପାରନ୍ତି ମୁଖ୍ୟ ସଚିବ ଓ ଡିଜିପି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ନାଁ ଖୋଜା ହେଲାଣି। ପ୍ରଥମେ ପୁଲିସ ମୁଖିଆ ଓ ପରେ ପରେ ମୁଖ୍ୟ ସଚିବ କିଏ ହେବେ। ଗୋଟିଏ ପଟେ ବର୍ତ୍ତମାନର ଡିଜି ପୁଲିସଙ୍କ କାର୍ଯ୍ୟକାଳ ଶେଷ ଏବଂ ଅନ୍ୟ ପକ୍ଷରେ ମୁଖ୍ୟ ସଚିବଙ୍କ ଅବସର ବୟସ ପଖେଇ ଆସୁଥିବାରୁ ରାଜ୍ୟରେ ଏହି ଗୁରୁତ୍ଵପୂଣ୍ଣ ଦୁଇ ପ୍ରଶାସନିକ ପଦବୀ କିଏ ଗ୍ରହଣ କରିବେ ସେ ନେଇ ଚର୍ଚା ଆରମ୍ଭ ହୋଇଛି। ଅପରପକ୍ଷେ ନିର୍ବାଚନ ଋତୁ ପାଖେଇ ଆସୁଥିବାରୁ ନୂଆ ମୁଖ୍ୟ ସଚିବଙ୍କ ନିଯୁକ୍ତି ପାଇଁ ବର୍ତ୍ତମାନର ମୁଖ୍ୟ ସଚିବଙ୍କ ଅବସର ଯାଏ ସରକାର ଅପେକ୍ଷା ନକରିପାରନ୍ତି ବୋଲି ମଧ୍ୟ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି।
ଡିଜି ପୁଲିସ ଅଭୟ ହେଉଛନ୍ତି ଏବେକାର ଆଇପିଏସ୍ଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ। ସେ ନଭେମ୍ବର ମାସରେ ଡିଜିପି ପଦରେ ଅଧିଷ୍ଠିତ ହୋଇଥିଲେ। ହେଲେ ବୟସ ଅନୁସାରେ ଜୁନ୍ ୧୯୬୧ରେ ଜନ୍ମିତ ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍ରେ ଶେଷ ହେବା କଥା। କିନ୍ତୁ ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦେଶାାବଳୀ ଅନୁସାରେ ଡିଜିପିଙ୍କ କାର୍ଯ୍ୟକାଳ ଅବଧିକୁ ସର୍ବନିମ୍ନ ୨ ବର୍ଷରେ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ତାଙ୍କର ଅବସର ସମୟକୁ ସମ୍ପ୍ରସାରିତ କରିଛନ୍ତି। ଏଣୁ ନିୟମ ଅନୁସାରେ ଯଦି ଆଉ ସମୟ ସମ୍ପ୍ରସାରିତ ନହୁଏ ତେବେ ନଭେମ୍ବର ମାସରେ ଡିଜିପି ଅବସର ନେବେ। ସେଥିଲାଗି ନୂଆ ଅଫିସରଙ୍କ ପ୍ୟାନେଲ୍ ପ୍ରସ୍ତୁତ କରି ୟୁପିଏସ୍ସିଙ୍କୁ ଚୟନ ଲାଗି ପଠାଇବା ଆବଶ୍ୟକ ରହିଛି। ସେଥିଲାଗି ସରକାରୀ ମହଲରେ ତତ୍ପରତା ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।
ଏହି ଅନୁସାରେ ୧୯୮୮ ବ୍ୟାଚ୍ର ୫ ଅଫିସରଙ୍କ ନାଁକୁ ରାଜ୍ୟ ସରକାର ୟୁପିଏସ୍ସିଙ୍କୁ ପଠାଇବେ। ଏହି ଅଧିକାରୀଙ୍କ ଭିତରୁ ଜଣଙ୍କୁ ୟୁପିଏସ୍ସି ବାଛି ରାଜ୍ୟ ସରକାରଙ୍କୁ ନିଯୁକ୍ତି ଲାଗି ପଠାଇବେ। ୨୦୧୮ ମସିହାରେ ସୁପ୍ରିମ୍କୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ସରକାର ଏହି ପ୍ରଥାକୁ ଆପଣାଇଛନ୍ତି। ପୁଲିସ ମୁଖିଆଙ୍କ ଉପରେ ରାଜନୀତିକ ଚାପ କମାଇବା ଏବଂ ବରିଷ୍ଠତାକୁ ଧ୍ୟାନ ଦେବା ଲାଗି ଏହି ବ୍ୟବସ୍ଥାକୁ କୋର୍ଟ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି।
ଏହାଦ୍ଵାରା ରାଜ୍ୟ ସରକାରମାନେ ୟୁପିଏସ୍ସିଙ୍କ ଅଜାଣତରେ ଯେଉଁଭଳି ଭାବେ ଡିଜିପି ନିଯୁକ୍ତି କରୁଥିଲେ ତାହାକୁ ଅବ୍ୟାହତି ଦିଆଯାଇଛି।
ବରିଷ୍ଠତା ଭିତ୍ତିରେ ଯେଉଁ ୫ ଅଧିକାରୀ ଏହି ପଦବୀ ଲାଗି ଏବେ ଦାବିଦାର ହେବେ ସେମାନେ ହେଲେ ସ୍ଵତନ୍ତ୍ର ଡିଜି ମନୋଜ ଛାବ୍ରା, ଜେଲ୍ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ, ମାନବାଧିକାର କମିଶନ ନିର୍ଦେଶକ ତଥା ଅତିରିକ୍ତ ଡିଜି ବିନୟ ଝା, କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ଅରୁଣ କୁମାର ରାୟ ଏବଂ ରେଳବାଇ ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ।
୧୯୮୮ ବ୍ୟାଚ୍ର ଅନ୍ୟତମ ଅଧିକାରୀ ତଥା ପୁଲିସ ହାଉସିଂ କର୍ପୋରେସନ୍ ସିଏମ୍ଡି ଏମ୍ ଅକ୍ଷୟ ମଧ୍ୟ ଡିଜି ପଦବୀ ପାଇଁ ବରିଷ୍ଠତା ଦୃଷ୍ଟିରୁ ଯୋଗ୍ୟ। ହେଲେ ତାଙ୍କ ଅବସର କାଳ ଯଥେଷ୍ଟ ନିକଟବର୍ତ୍ତୀ ହୋଇଛି। ଚଳିତ ବର୍ଷ ତାଙ୍କ ଅବସର ରହିଛି। ନିୟମ ଅନୁସାରେ ଅତିକମ୍ରେ ୬ ମାସର ସେବା ଥିଲେ ସରକାର ତାଙ୍କୁ ଡିଜିପି ପଦବୀରେ ନିଯୁକ୍ତି ପାଇଁ ୟୁପିଏସ୍ସିଙ୍କୁ ସୁପାରିସି କରିପାରିବେ। ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇପାରିବେ। ହେଲେ ଏ କ୍ଷେତ୍ରରେ ଏମ୍ ଅକ୍ଷୟଙ୍କ ନାଁ ଯୋଗ୍ୟତା ପରିଧିକୁ ଆସୁନାହିଁ।
ଅନ୍ୟ ଦାବିଦାରଙ୍କ ଭିତରେ ସନ୍ତୋଷ କୁମାର ଉପାଧ୍ୟାୟ ଏବେ ଡିଜିପି ପାହ୍ୟାର ଅଧିକାରୀ। ତାଙ୍କୁ ଜେଲ୍ ଡିଜି ଭାବେ ସରକାର ନିଯୁକ୍ତ କରିଛନ୍ତି। ସେ ମଧ୍ୟ ଜଣେ ଓଡ଼ିଆ ଅଧିକାରୀ ଏଣୁ ପରବର୍ତ୍ତୀ ନାଁରେ ସେ ଆସିପାରନ୍ତି।
ଏଥର ଅଣ ଓଡ଼ିଆ ମୁଖ୍ୟ ସଚିବ!
ଅପରପକ୍ଷେ ମୁଖ୍ୟ ସଚିବ କିଏ ହେବେ ତାହା ରାଜ୍ୟ ସରକାରଙ୍କ ସମ୍ପୂଣ୍ଣ ଇଚ୍ଛାଧୀନ ବ୍ୟାପାର। ଏଣୁ ସରକାର ବରିଷ୍ଠତା ଭିତ୍ତିରେ ବା ନିଜ ପସନ୍ଦ ଅନୁସାରେ ନିଯୁକ୍ତ କରିପାରନ୍ତି। ବରିଷ୍ଠତାକୁ ହିସାବକୁ ନେଲେ ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପରେ ବେଣୁ ଗୋପାଳ ଶର୍ମା, ସୁଦର୍ଶନ ପାଲ୍ ଠାକୁର, ତୁହୀନ କାନ୍ତ ପାଣ୍ଡେ. ନିକୁଞ୍ଜ ସୁୁନ୍ଦରାୟ ପ୍ରଭୃତି ରହିଛନ୍ତି। ହେଲେ ଆଗକୁ ନିର୍ବାଚନ ଥିବାରୁ ସରକାର ଅଣ ଓଡ଼ିଆ ଅଧିକାରୀଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି କରି ନପାରନ୍ତି। ପୁଣି ଗଲା କିଛିବର୍ଷର ରେକର୍ଡ଼ ଯାହା କହୁଛି ସରକାର ବରିଷ୍ଠ ଓଡ଼ିଆ ଆଇଏଏସ୍ଙ୍କୁ ହିଁ ମୁଖ୍ୟ ସଚିବ ଦାୟିତ୍ଵ ଦେଇ ଆସୁଛନ୍ତି। ଏହା ହେଲେ ବରିଷ୍ଠତାରେ ସାଲିସ ହେବ ଏବଂ ଆଇଏଏସ୍ ମହଲରେ ଥିବା ଅସନ୍ତୋଷ ପୁଣି ସକ୍ରିୟ ହୋଇପାରେ।
ନିଜଦ୍ଵାରା ସ୍ଥାପିତ ପରମ୍ପରା ଅନୁସାରେ ଯଦି ଏଥର ବି ରାଜ୍ୟ ସରକାର ଜଣେ ଓଡ଼ିଆ ଅଧିକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଅନ୍ତି ତେବେ ନାଁ ଆସୁଛି ନିକୁଞ୍ଜ ସୁରନ୍ଦରାୟ, ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ପ୍ରଦୀପ କୁମାର ଜେନାଙ୍କ ନାଁ।
ନିକୁଞ୍ଜ ସୁନ୍ଦରାୟ ଏବେ କେନ୍ଦ୍ରୀୟ ଡେପ୍ୟୁଟେସନ୍ରେ କାର୍ଯ୍ୟକରୁଛନ୍ତି। କେନ୍ଦ୍ରୀୟ ଡେପ୍ୟୁଟେସନ୍ରେ ଯିବା ପୂର୍ବରୁ ତାଙ୍କୁ ନେଇ ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଣୁ ତାଙ୍କୁ ଅଣା ନଯାଇ ଆଉ ଜଣେ ଓଡ଼ିଆ ଅଧିକାରୀଙ୍କୁ ପାଇବାକୁ ହେଲେ ବରିଷ୍ଠ ଆଇଏଏସ୍ଙ୍କ ତାଲିକାରେ ଆସିବ ୧୯୬୪ ଜନ୍ମ ଏବଂ ୧୯୮୮ ବ୍ୟାଚ୍ର ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନାଁ। ହେଲେ ସେ ଏବେ ଲମ୍ବା ଛୁଟିରେ ରହିଛନ୍ତି। ଏହାଙ୍କୁ ବରିଷ୍ଠ ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜ କିଶୋର ଶର୍ମା ଏବେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି।
୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ଏବେକାର ଏସ୍ଆର୍ସି ପ୍ରଦୀପ କୁମାର ଜେନାଙ୍କ ନାଁ ବି ଏଥିନେଇ ଚର୍ଚା ହେଉଛି। କିନ୍ତୁ ତାଲିକାରେ ସେ ହେଉଛନ୍ତି ତୃତୀୟ ଓଡ଼ିଆ ଅଧିକାରୀ। ଏହିକ୍ରମରେ ତାଙ୍କ ନାଁକୁ ଏଥର ମଞ୍ଜୁର କରିବା ସରକାରଙ୍କ ଇଚ୍ଛାଧୀନ ବ୍ୟାପାର ହେବ। ନହେଲେ ସରକାର ଦୀର୍ଘଦିନ ପରେ ଜଣେ ଅଣଓଡ଼ିଆ ଅଧିକାରୀଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିପାରନ୍ତି।