‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
କଟକ, (ଓଡିଶା ଟାଇମ୍) :ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡ଼ିକର ଫି’କୁ ରାଜ୍ୟ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ଏଥିପାଇଁ ସରକାରଙ୍କର କୌଣସି କର୍ତ୍ତୃତ୍ଵ ନାହିଁ ବୋଲି ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି। ଏହାସହିତ ରାଜ୍ୟରେ ଏତେ ସରକାରୀ ସ୍କୁଲ ଥାଇ ଅଭିଭାବକମାନେ ଘରୋଇ ସ୍କୁଲକୁ କାହିଁକି ପିଲାଙ୍କୁ ପଠାଉଛନ୍ତି ବୋଲି ସରକାର ପ୍ରଶ୍ନ କରିଛନ୍ତି।
ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଘରୋଇ ସ୍କୁଲ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କର କ’ଣ ନିୟନ୍ତ୍ରଣ ରହିଛି ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ରାଜ୍ୟ ସରକାର ବୁଧବାର ସତ୍ୟପାଠ ଜରିଆରେ ଏହାର ଉତ୍ତର ରଖିଛନ୍ତି। ଫି ନିୟନ୍ତ୍ରଣ କରିବାରେ ସରକାରଙ୍କର କୌଣସି ପଲିସି ନାହିଁ ବୋଲି କହିଛନ୍ତି। ଏ ଦିଗରେ ହାଇକୋର୍ଟ ନିଜ ଆଡୁ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାର ପୂର୍ବରୁ ଯୁକ୍ତି ବାଢ଼ିଥିଲେ।
ସୂଚନା ଅନୁସାରେ, ଦେଶରେ ଅନ୍ୟାନ୍ୟ ରାଜ୍ୟରେ ଘରୋଇ ସ୍କୁଲଗୁଡ଼ିକର ଫି’କୁ ନିୟନ୍ତ୍ରଣ କରିବା ଲାଗି ଆଇନ ରହିଛି। ପଞ୍ଜାବ, ହରିୟାଣା ଭଳି କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ ଏ ଦିଗରେ ଆଇନ ଅଣାଯାଇଛି। ଫଳରେ ସେହି ରାଜ୍ୟଗୁଡ଼ିକର ଘରୋଇ ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗ ସରକାରଙ୍କ ନିୟନ୍ତ୍ରଣରେ ରହିଛି। କିନ୍ତୁ ଓଡ଼ିଶାରେ ଏଥିପାଇଁ ସରକାରଙ୍କର କୌଣସି ଆଇନ ନାହିଁ।